ପୁରୀ: ଭକ୍ତଙ୍କ ଉତ୍କଣ୍ଠାର ଘଟିଛି ଅନ୍ତ । ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ପାଇଛନ୍ତି ଭକ୍ତ । ଶୁକ୍ରବାର ଅପରାହ୍ନ ୩ଟା ପୂର୍ବର ଆଡ଼ପ ଅବଢ଼ା ଭକ୍ତଙ୍କୁ ମିଳିଛି । ସଠିକ୍ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଥିବାରୁ ଆଡ଼ପ ଅବଢ଼ା ମଧ୍ୟ ସଠିକ୍ ସମୟରେ ବାହାରିଥିଲା । ଏହାକୁ ସେବନ କରି ଭକ୍ତ ହୋଇଛନ୍ତି ଭାବ ବିହ୍ବଳ । ବହୁ ଦୂରରୁ ଭକ୍ତମାନେ ଆଜି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଆଡ଼ପ ଅବଢ଼ାକୁ ପାଇବା ପାଇଁ ବେଶ୍ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ । ଆଡ଼ପ ଅବଢ଼ା ଭକ୍ତ ପାଇଥିବା ବେଳେ ଅନେକ ଭକ୍ତ ଏହି ଆଡ଼ପ ଅବଢ଼ାକୁ ବ୍ରାହ୍ମଣଙ୍କ ମଧ୍ୟ ଭୋଜନ ରୂପେ ଦେଇଛନ୍ତି ।
ଗୁଣ୍ଡିଚା ଯାତ୍ରାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ଗତକାଲି (ଗୁରୁବାର) ଆଡ଼ପ ମଣ୍ଡପକୁ ବିଜେ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏହାପରେ ଆଜିଠାରୁ ବାହାରିଛି ଆଡ଼ପ ଅବଢ଼ା । ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ପାଖରେ ଲାଗି ହେଉଥିବା ମହାପ୍ରସାଦକୁ ଆଡ଼ପ ଅବଢ଼ା ବୋଲି କୁହାଯାଏ । ପୁରାଣରେ ବର୍ଣ୍ଣନା ଅନୁଯାୟୀ ଏହି ଆଡ଼ପ ଅବଢ଼ାକୁ ବ୍ରାହ୍ମଣ ଭୋଜନ କରାଇଲେ ନିଜର ପିତୃ ପୁରୁଷ ତୃପ୍ତ ହୋଇଥାନ୍ତି । ଏଣୁ ଏହି ଆଡ଼ପ ଅବଢ଼ା ପାଇବା ପାଇଁ ଭକ୍ତଙ୍କ ଭିତରେ ଥିଲା ଉତ୍କଣ୍ଠା । ସେପଟେ ସୁଆର ମହାସୁଆର ନିଯୋଗ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ହେଇଛି । ଆଡ଼ପ ଅବଢ଼ା ଯେଭଳି ଭକ୍ତମାନେ ଭଲ ଭାବରେ ପାଇବେ, ସେନେଇ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି । ଅବଢ଼ା ଦର ଯେଭଳି ଭକ୍ତଙ୍କୁ ନବାଧିବ, ସେଦିଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ନଜର ରଖାଯାଇଛି ।
ସେପଟେ ଦ୍ବିତୀୟ ଭୋଗ ମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ଗୁପ୍ତ ନୀତି ବନକ ଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ସନ୍ଧ୍ୟାରୁ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ଆସନ୍ତାକାଲି (ଶନିବାର) ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ପରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଥଲା । ଶୃଙ୍ଖଳିତ ଦର୍ଶନ ନେଇ ବ୍ୟାରିକେଡ୍ ଲଗାଯାଇଥିବା ବେଳେ ପ୍ରତ୍ୟେକ ସ୍ଥାନରେ ପୋଲିସ୍ ମୁତୟନ କରାଯାଇଥିଲା । ତେବେ ମହାପ୍ରଭୁଙ୍କ ଦର୍ଶନ ନେଇ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପକ୍ଷରୁ ଶୃଙ୍ଖଳିତ ବ୍ୟବସ୍ଥା ହୋଇଥିବା ଭକ୍ତ କହିଛନ୍ତି । ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସହ ଆଡ଼ପ ଅବଢ଼ା ପାଇ କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ ।
ଇଟିଭି ଭାରତ, ପୁରୀ