ନୂଆପଡା: ଜିଲ୍ଲା ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ 8ଦଫା ଦାବି ପୂରଣ ନେଇ ଆଜି ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି । ଏଥିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଚାଷୀ ସାମିଲ ହୋଇଥିଲେ । ପରିଷଦର ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଗଣ ଧାରଣାରେ ନିଜକୁ ସାମିଲ କରି ଦାବି ପୂରଣ ନେଇ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ।
ଚଳିତ ଖରିଫ ୠତୁରେ ଜିଲ୍ଲାକୁ 20 ହଜାର କୁଇଣ୍ଟାଲ ସାର ଆବଶ୍ୟକ ଥିବାବେଳେ ସରକାର ଏଯାଏଁ ମାତ୍ର 9 ହଜାର କୁଇଣ୍ଟାଲ ସାର ଯୋଗାଇଛନ୍ତି । ଯାହାକି ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ ବୋଲି ଅଭିଯୋଗ କରିଛନ୍ତି ଚାଷୀ । ସରକାର ବକେୟା ସାର ତୁରନ୍ତ ଯୋଗାଇବା ସହ ସାରର ଅଭାବୀ ବିକ୍ରି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ମଧ୍ୟ ଦାବି କରିଛନ୍ତି ଚାଷୀ ।
ସେହିପରି ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଗଜା ମରୁଡି ଦେଖାଦେଇଛି, ସରକାର ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ଜିଲ୍ଲାକୁ ଗଜା ମରୁଡି ଘୋଷଣା କରନ୍ତୁ । ଅଘୋଷିତ ବିଦ୍ୟୁତ କାଟ, ଲୋଭୋଲ୍ଟେଜ, ବିଜୁଳି ଶୁଳ୍କ ବୃଦ୍ଧି ଉପରେ ସରକାର ଧ୍ୟାନ ଦେଇ ତୁରନ୍ତ ବିଚାର କରନ୍ତୁ । 2017,18,19 ବର୍ଷର ବକେୟା ରାଷ୍ଟ୍ରୀୟ ଫସଲ ବୀମା କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ପ୍ରଦାନ କରାଯିବା, ମଣ୍ଡିରୁ ଧାନ ସଂଗ୍ରହ ନିୟମରେ ସୁଧାର ଆଣିବା ସହ ବିଧିବଦ୍ଧ ଭାବରେ କପା,ମକା ମଣ୍ଡି ପରିଚାଳନା କରାଯିବା ଭଳି 8 ଦଫା ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ତରାଣୀ ସେନ ନାଏକଙ୍କୁ ଦାବିପତ୍ର ପ୍ରଦାନ କରିଛି ପରିଷଦ ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ