ନୂଆପଡା: ଜିଲ୍ଲା ବୋଡେ଼ନ ବ୍ଳକ ମାଓ ପ୍ରବଣ ଲାଲଗଡ଼ରେ ପଡିଛି ଲକଡାଉନର ମହାପ୍ରଭାବ । ଗାଁହାଟ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ,ଲାଲଗଡ଼ରେ ବାସକରୁଥିବା ପହରିଆଙ୍କ ମୁଣ୍ଡ ଉପରେ ପଡିଛି ଚଡକ । ବାଉଁଶ ପାତିଆରେ ଘରକରଣା ସାମଗ୍ରୀ ଡାଲା, ଟୋପା, କୁଲା ତିଆରି କରି ପାଖ ଗାଁ ହାଟରେ ବିକ୍ରିକରି ପରିବାର ଚଳାଉଥିବା ଏହି ଜାତିଙ୍କ ପେଟକୁ କୋରୋନା ମହାମାରୀର ପକାଇଛି ଶକ୍ତ ଲାତ।
ଲକଡାଉନ କାରଣରୁ ଗାଁହାଟ ଦୀର୍ଘଦିନ ବନ୍ଦ ଥିବାବେଳେ,ଘରେ ପଡିରହିଛି ବାଉଁଶ ସାମଗ୍ରୀ । ସ୍ୱଳ୍ପ ରୋଜଗାର ବନ୍ଦ ହେବାପରେ ଦୁର୍ଦ୍ଦିନରେ ପହରିଆ ସମ୍ପ୍ରଦାୟ । ଯୁଆଡେ ଗଲେ ପୋଲିସ ସୁରକ୍ଷା ବାହିନୀ ଘଉଡାଉଥିବା କହିଛନ୍ତି ପହରିଆ । ପୋଲିସ ଓ କୋଭିଡି19 ଆତଙ୍କରେ ଆତଙ୍କିତ ଭାବେ ଜୀବନ ଜିଉଁଛନ୍ତି ଏହି ସମ୍ପ୍ରଦାୟ।
ମହାମାରୀ କୋଭିଡ-19କୁ ମୁକାବିଲା କରିବା ପାଇଁ ଲକଡାଉନରେ କ୍ଷତିଗ୍ରସ୍ତ ଚାଷୀ ମୂଲିଆ, ଉଠା ଚା ପାନ ଦୋକାନୀ, ନିର୍ମାଣ ଶ୍ରମିକଙ୍କୁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ସମସ୍ତେ ଘରେ ରୁହନ୍ତୁ-ସୁସ୍ଥ ରୁହନ୍ତୁ ସ୍ଲୋଗାନ ଦେଉଛନ୍ତି ସରକାର । ହେଲେ ପହରିଆଙ୍କୁ ସରକାର ଅଣଦେଖା କରିଥିବା ସେମାନେ ଅଭିଯୋଗ କରିଛନ୍ତି ।
ଅନ୍ୟକୌଣସି କାମ ଧନ୍ଦା ନଥିବାବେଳେ, କେବଳ ବାଉଁଶ ତିଆରି ସାମଗ୍ରୀ ହିଁ ତାଙ୍କୁ ଦାନା କନା ଦେଇଥାଏ । ଲକଡାଉନ ହେବା ପରେ ପହରିଆଙ୍କ ପେଟକୁ ପଡୁନି ଦାନାଗଣ୍ଡିଏ । ଏନେଇ ଆମ ନୂଆପଡା ପ୍ରତିନିଧି ପହରିଆଙ୍କ ଦୁଃଖ ଜଣାଇବା ପାଇଁ ବୋଡେ଼ନ ବିଡିଓଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲେ । ଲକଡାଉନ ଯୋଗୁଁ ସାକ୍ଷାତ ସମ୍ଭବ ହୋଇ ପାରିନଥିଲା । ଟେଲିଫୋନ ଯୋଗେ ପହରିଆଙ୍କ ଦୁଃଖ ଅବଗତ କରିବା ପରେ, ପହରିଆଙ୍କୁ ରାସନ ଯୋଗାଇ ଦେବେ ବୋଲି ବୋଡେ଼ନ ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ ପ୍ରତିଶ୍ରୁତି ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ