ନୂଆପଡା: ଗରିବ ଲୋକଙ୍କ ପାଇଁ ଆସୁଥିବା PDS ଚାଉଳ ବଣ୍ଟନରେ ଅନିୟମିତତା ହେଉଥିବା ଅଭିଯୋଗ । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ରିସୀଗାଁ ଗ୍ରାମପଞ୍ଚୟତରେ ଏଭଳି ଅଭିଯୋଗ ହୋଇଛି । ଅଭିଯୋଗ ପତ୍ରଧରି ଖଡ଼ିଆଳ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ ।
ସୂଚନା ଅନୁଯାୟୀ, ରିସୀଗାଁ ଗ୍ରାମପଞ୍ଚାୟତରେ PDS ଚାଉଳ ବଣ୍ଟନ ବ୍ୟବସ୍ଥା ପାଇଁ ନିକଟସ୍ଥ ତୁକୁଳା ଗ୍ରାମପଞ୍ଚାୟତର ଯୋଗାଣ ସହାୟକ ଗଣେଶ ମେହେର ନିୟୋଜିତ ଥିଲେ । ଦୀର୍ଘ ଦିନରୁ ମେହେର ଗରିବ ଖାଉଟି କାର୍ଡଧାରୀଙ୍କୁ ଚାଉଳ ବଣ୍ଟନ କରି ଆସୁଥିବା ବେଳେ ଚାଉଳ ବଣ୍ଟନ ବ୍ୟବସ୍ଥାରେ ହେରଫେର କରି ଆସୁଥିବା ଜଣା ପଡିଥିଲା ।
ଏନେଇ ଯୋଗାଣ ସହାୟକଙ୍କ ଏଭଳି କାର୍ଯ୍ୟକଳାପ ଯୋଗୁଁ ସରଗାଦି ଗାଁର ଲୋକମାନେ ଅତିଷ୍ଟ ହୋଇ ଯୋଗାଣ ସହାୟକଙ୍କ ଏଭଳି କାର୍ଯ୍ୟକୁ ନେଇ ବହୁଦିନ ପୂର୍ବରୁ ଖଡ଼ିଆଳ ବିଡ଼ିଓଙ୍କ ପାଖରେ ଅଭିଯୋଗ କରି ଆସୁଥିଲା । ଅଭିଯୋଗକୁ ଭିତ୍ତିକରି ଚାଉଳ ବଣ୍ଟନ ବ୍ୟବସ୍ଥାରୁ ତୁକୁଳା ଯୋଗାଣ ସହାୟକ ଗଣେଶ ମେହେରଙ୍କୁ ନିବୃତ ରଖି ନିକଟସ୍ଥ ଡୁଆଝର ଗ୍ରାମପଞ୍ଚାୟତର ଯୋଗାଣ ସହାୟକ ମନୋଜ କୁମାର ଜଗତକୁ ରିସୀଗାଁ ଗ୍ରାମପଞ୍ଚାୟତର PDS ଚାଉଳ ବଣ୍ଟନ ପାଇଁ ଖଡ଼ିଆଳ ବିଡ଼ିଓ ଦାୟିତ୍ବ ହସ୍ତାନ୍ତର କରିଥିଲେ ।
ହେଲେ ଏହି ନୂତନ ଯୋଗାଣ ସହାୟକ ମନୋଜ କୁମାର ଜଗତକୁ ବିରୋଧ କରିବା ସହିତ ପୂର୍ବରୁ ଯେଉଁ ଯୋଗାଣ ସହାୟକ PDS ବଣ୍ଟନ ବ୍ୟବସ୍ଥା କାମ କରି ଆସୁଥିଲେ ତାଙ୍କୁ ହିଁ ଦାୟିତ୍ୱ ଦିଆଯିବା ନେଇ ଗତକାଲି ରିସୀଗାଁ ଗ୍ରାମପଞ୍ଚାୟତ ସରଗାଦି ଗ୍ରାମର ଏକାଧିକ ଖାଉଟି କାର୍ଡଧାରୀ ଖଡ଼ିଆଳ ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ଏନେଇ ଖଡ଼ିଆଳ ବିଡ଼ିଓ ବିରସେନ ବେହେରାଙ୍କୁ ପଚାରିବାରୁ ରିସୀଗାଁ ଗ୍ରାମପଞ୍ଚାୟତକୁ ଯାଇ ଷ୍ଟକ ରେଜିଷ୍ଟ୍ର ଇନକ୍ବାରୀ କରି, ଖାଉଟି କାର୍ଡଧାରୀଙ୍କ ଅଭିଯୋଗ ଉପରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଡ଼ିଆଳ ବିଡ଼ିଓ ପ୍ରତିଶୃତି ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ- ଅନ୍ତର୍ଦ୍ୱୟ ଅର୍ଣ୍ଣ ଯୋଜନାରେ ଅନିୟମିତତା, ଧାରଣାରେ ସିଂହାରପୁର ପଞ୍ଚାୟତବାସୀ
ସେହିପରି ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିଂହାରପୁର ପଞ୍ଚାୟତରେ PDS ଚାଉଳ ଯୋଜନାରେ ଅନିୟମିତତା ଅଭିଯୋଗ ହୋଇଥିଲା । ଏନେଇ ସିଂହାରପୁର ପଞ୍ଚାୟତବାସୀ ଅଭିଯୋଗ କରିବା ସହିତ ଜଗତସିଂହପୁର ବ୍ଲକ ସମୁଖରେ ଗାନ୍ଧୀଙ୍କ ଫଟୋ ରଖି ଧାରଣା ଦେଇଥିଲେ । ପଞ୍ଚାୟତରେ ବହୁ ସରକାରୀ ଚାକିରିଆ ଓ ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତିମାନେ ରାସନ କାର୍ଡ ହାତେଇଥିବା ବେଳେ ବହୁ ଥିଲାବାଲା ଲୋକେ ଅନ୍ତର୍ଦ୍ୱୟ ଅନ୍ନ ଯୋଜନାରେ ପ୍ରତି ମାସରେ 35 କିଲୋ ଚାଉଳ ନେଉଛନ୍ତି । ସେହିପରି ମୃତ ଲୋକଙ୍କ ନାମରେ ମଧ୍ୟ ଏଠାରୁ ଚାଉଳ ଉଠା ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ ।
ଇଟିଭି ଭାରତ, ନୂଆପଡା