ନୂଆପଡା: ଜିଲ୍ଲା କୋମନା, ବୋଡେନ, ସିନାପାଲି, ଖଡ଼ିଆଳ ବ୍ଳକ ଅଞ୍ଚଳ ଗୁଡିକରେ ପ୍ରାଇଭେଟ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡିକର ଜୁଲୁମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଋଣ ଟଙ୍କା ପୈଠ ନକଲେ କମ୍ପାନୀ କର୍ମଚାରୀ ମାନେ ଗାଳିଗୁଲଜ ଅକଥନୀୟ ନିର୍ଯ୍ୟାତନା ଦେଉଥିବା ମହିଳାମାନେ ସଙ୍ଗୀନ ଅଭିଯୋଗ କରିଛନ୍ତି । ଏନେଇ ନିକଟରୁ ସ୍ଥିତି ପରଖିବା ପାଇଁ ଇଟିଭି ଭାରତ ଟିମ ପହଞ୍ଚିଥିଲା ଖଡ଼ିଆଳ ବ୍ଳକ ଚନାବେଡା ଗାଁରେ ।
ନୂଆପଡା ଜିଲ୍ଲା ଖଡିଆଳ ବ୍ଳକ ଚନାବେଡା ଗାଁରେ ପ୍ରାଇଭେଟ ମାଇକ୍ରୋ ଫାଇନାନ୍ସ କମ୍ପାନୀ କର୍ମଚାରୀ ମହିଳାଙ୍କ ଉପରେ ଜୁଳୁମ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଫାଇନାନ୍ସ କମ୍ପାନୀ ସମସ୍ତା, ଆରୋହଣ, ଏସକେଏସ, ବନ୍ଦନା, ଅର୍ଣ୍ଣପୂର୍ଣ୍ଣା, ଏଲଏନଟି, ଆଶ୍ରିବାଦ, ସ୍ପନ୍ଧନା ଭଳି ଏକାଧିକ ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡିକ ଲୋଭ ଦେଖାଇ ଚନାବେଡା ଗାଁର ମହିଳା ଗୃପମାନଙ୍କୁ ଋଣ ପ୍ରଦାନ କରିଛନ୍ତି । ନିୟମ ଅନୁସାରେ ପ୍ରତି ମାସରେ ଋଣ କିସ୍ତି ପରିଶୋଧ କରି ଆସୁଥିଲେ । ସରକାରଙ୍କ ଲକଡାଉନ, ସଟଡାଉନ ଘୋଷଣା ପରେ ମହିଳାଙ୍କ କାମଧନ୍ଦା ବନ୍ଦ ରହିଛି । ସେହିଭଳି ଛୋଟ ଛୋଟ ବ୍ୟବସାୟ କରୁଥିବା ମହିଳାମାନଙ୍କ ବ୍ୟବସାୟ ମଧ୍ୟ ମାନ୍ଦା ପଡିଛି । ଫଳରେ ମହିଳା ମାନେ ଋଣ ପରିଶୋଧ କରି ପାରୁନାହାନ୍ତି । ସରକାରଙ୍କ ଲକଡାଉନ ନିୟମ ପ୍ରତ୍ୟାହାର ହେବାପରେ ଋଣ ପରିଶୋଧ କରିବେ ବୋଲି ମହିଳାମାନେ ପ୍ରତିଶୃତି ଦେଉଛନ୍ତି । ହେଲେ କମ୍ପାନୀ କର୍ମଚାରୀ କିଛି ବି ଭାବ ବିଚାର କରୁନାହାଁନ୍ତି । ସିଧାସଳଖ ମହିଳା ମାନଙ୍କ ଘରେ ଦିନତମାମ ବସି ରହୁଛନ୍ତି । ମହିଳା ମାନେ ପାଟି ଫିଟାଇଲେ ଗାଳିଗୁଲଜ କରି ଅକଥନୀୟ ବ୍ୟବହାର ଦେଉଥିବା ଅଭିଯୋଗ କରିଛନ୍ତି ।
ନୂଆପଡା ଜିଲ୍ଲାରେ ପ୍ରାଇଭେଟ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡିକ ଖୁଲୁମ ଖୁଲା ଜୁଲୁମ କାରବାର ଚଳାଇଛନ୍ତି । କମ୍ପାନୀ ଉପରେ ସରକାର ଅଣାୟତ୍ତ ହୋଇଥିବା ବେଳେ,ସ୍ଥାନୀୟ ପୋଲିସ ପ୍ରଶାସନ ନୀରବ ସାଜିଛି । ମହାମାରୀ କୋଭିଡ-19 ମୁକାବିଳା ପାଇଁ ସରକାର ଲକଡାଉନ, ସଟଡାଉନ ଘୋଷଣା କରିଛନ୍ତି । ଏହି ଅବଧି ଭିତରେ କୌଣସି ଋଣ ଅର୍ଥ ଆଦୟ ଓ କାରବାର ହୋଇପାରିବ ନାହିଁ ବୋଲି ସରକାର କଡାକଡି ନିୟମ କରିଛନ୍ତି । ହେଲେ ଏହି ନିୟମକୁ ପ୍ରାଇଭେଟ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡିକ ଖାତିର କରୁନାହାଁନ୍ତି । ଓଲଟା ଜୋର ଜବରଦସ୍ତ ଅକଥନୀୟ ନିର୍ଯ୍ୟାତନା ଦେଇ ମହିଳାଙ୍କ ଉପରେ ଜୁଲୁମ କରୁଥିବା ଦେଖାଦେଇଛି ।
ଋଣ ଟଙ୍କା ପ୍ରତିମାସର 15 ତାରିଖ କିମ୍ବା 30 ତାରିଖ ଏଭଳି 2ଟି କିସ୍ତିରେ ମହିଳାମାନେ ପରିଶୋଧ କରି ଆସୁଥିଲେ । ହେଲେ ଲକଡାଉନର ମହାପ୍ରଭାବରେ କାମଧନ୍ଦା ବନ୍ଦ କାରଣରୁ ଅସୁବିଧାରେ ପଡିଥିବା ମହିଳାମାନେ କହିଛନ୍ତି । ଏନେଇ ଚନାବେଡା ସରପଞ୍ଚ ମହିଳାମାନଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ହେଉଥିବା ଘଟଣାକୁ ବିରୋଧ କରିଛନ୍ତି । ସରକାର ମହିଳାଙ୍କ ସୁରକ୍ଷା ପ୍ରତି ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଅପରପକ୍ଷେ କମ୍ପାନୀ ଅତ୍ୟାଚାରରେ ଅସହ୍ୟ ହୋଇ ମହିଳା ମାନେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ