ନୂଆପଡା: ସିନାପାଲି ବ୍ଳକ ଗଣ୍ଡାବାହେଲି ଆଶ୍ରମ ବିଦ୍ୟାଳୟର ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ପ୍ରବାସୀ ଓଡିଆ ଶ୍ରମିକ ଅଶାନ୍ତ । ନିମ୍ନମାନର ଖାଦ୍ୟ ଯୋଗାଉଥିବା ନେଇ କରିଛନ୍ତି ଅଭିଯୋଗ । ମଧ୍ୟାହ୍ନ ବେଳର ଭାତ ଡାଲିକୁ ରାତି ଭୋଜନରେ ଦେଉଥିବାର ଅଭିଯୋଗ ଆଣିଛନ୍ତି ଶ୍ରମିକ ।
ବାସି ଖାଦ୍ୟ ଶ୍ରମିକଙ୍କୁ ରୋଚକ ଲାଗୁନଥିବାବେଳେ ବାଧ୍ୟରେ ଖାଇଲେ ପେଟ ଖରାପ ହେଉଥିବା ଶ୍ରମିକମାନେ ଆମ ପ୍ରତିନିଧିଙ୍କୁ କହିଛନ୍ତି । ସେହିଭଳି ଭାତ ଡାଲି ବ୍ୟତୀତ ଅନ୍ୟ କିଛି ଦେଉନଥିବା କହିଛନ୍ତି । ସେଠାରେ ଗାଧୋଇବା ପାଣିକୁ ନେଇ ମଧ୍ୟ ସମସ୍ୟା ଥିବା ଅଭିଯୋଗ କରିଛନ୍ତି ଶ୍ରମିକ ।
ସୂଚନା ମୁତାବକ ଗଣ୍ଡାବାହେଲି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ 140 ଜଣ ପ୍ରବାସୀ ଓଡିଆ ଶ୍ରମିକ ରହିଛନ୍ତି । ଶ୍ରମିକଙ୍କ ପାଇଁ ଭୋଜନ ଜଳଖିଆ ଯୋଗାଇବାକୁ ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦାୟିତ୍ବ ଗ୍ରହଣ କରିଛନ୍ତି । ହେଲେ ଏହି ଗୋଷ୍ଠୀ ଠିକ ଭାବରେ ଖାଦ୍ୟ ଯୋଗାଇପାରୁନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏଦିଗରେ ପ୍ରଶାସନ ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ