ନୂଆପଡ଼ା: ବହୁଦିନ ବ୍ୟବଧାନପରେ ନୂଆପଡା ଜିଲ୍ଲାରେ ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ । ସିନାପାଲି ବ୍ଲକ ଅନ୍ତର୍ଗତ ଫୁଲଚି, ଘାଟମାଲ ସମେତ ନଗଲବୋର୍ଡ଼ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମେନପୁର ନୂଆପଡା ମାଓ ଡିଭିଜନ ସଚିବ ଏହି ପୋଷ୍ଟର ଜାରି କରିଥିବା ଏଥିରେ ଉଲ୍ଲେଖ ରହିଛି । ଏଥିରେ ପୋଲିସ କିଛିଦିନ ପୂର୍ବେ ଗିରଫ କରିଥିବା ସମୁଦ୍ର ବାଗ ନାମକ ଯୁବକ କୌଣସି ମାଓ ସଂଗଠନରେ କାମ କରୁନାହିଁ ବୋଲି ଦର୍ଶାଯାଇଛି ।
ଗତ କିଛିଦିନ ପୂର୍ବେ ନବରଙ୍ଗପୁର DVF ଯବାନ ଜଣେ ମହିଳା ମାଓବାଦୀ ସହ ଜଣେ ପୁରୁଷ ମାଓବାଦୀକୁ ଗିରଫ କରିଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ପୁରୁଷ ମାଓବାଦୀ ସମୁଦ୍ର ବାଗ ନାମକ ଯୁବକକୁ ମାଓବାଦୀ ସଂଗଠନର ପାର୍ଟି ମେମ୍ବର ବୋଲି ନବରଙ୍ଗପୁର ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଥିଲା । ତେବେ ଏନେଇ ନୂଆପଡା ମେନପୁର ଡିଭିଜନ ମାଓ ସଂଗଠନ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିବା ଜଣାପଡ଼ିଛି ।
ସିନାପାଲି ବ୍ଲକ ଅନ୍ତର୍ଗତ ଫୁଲଚି, ଘାଟମାଲ ସମେତ ନଗଲବୋର୍ଡ଼ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଲଗାଯାଇଥିବା ମାଓ ପୋଷ୍ଟରରେ ପୋଲିସର ଏହି ସୂଚନାକୁ ଖଣ୍ଡନ କରିବା ସହ ନବରଙ୍ଗପୁର ପୋଲିସ ଗଣମାଧ୍ୟମକୁ ମିଥ୍ୟା ସୂଚନା ଦେଇଛି ବୋଲି ଦର୍ଶାଯାଇଛି । ନୂଆପଡା ଜିଲ୍ଲାର ସମୁଦ୍ର ବାଗ କୌଣସି ମାଓ ସଂଗଠନରେ କାମ କରୁନାହିଁ । ଏହା ମିଥ୍ୟା ବୋଲି ମାଓ ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ମାଓବାଦୀଙ୍କ ଏଭଳି ପୋଷ୍ଟର ଦେଖି ନୂଆପଡା ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ଗୁଡିକରେ ଭୟର ବାତାବରଣ ଦେଖାଦେଇଛି ।
ଇଟିଭି ଭାରତ, ନୂଆପଡ଼ା