ନୂଆପଡା: ଜିଲ୍ଲାର କୋମନା ବ୍ଲକ ‘‘ଜୟ ମାଁ ପରଦେଶେନ ଯୁବ ଗୋଷ୍ଠୀ’’ ପେଣ୍ଡରାବନ୍ଧ ଗ୍ରାମର ଯୁବ ସ୍ବେଚ୍ଛାସେବୀମାନେ NH 353 ଜାତୀୟ ରାଜପଥ ମରାମତି କରିଛନ୍ତି । ଏହି ଗୋଷ୍ଠୀର ସଭାପତି ହରିଶ୍ଚନ୍ଦ୍ର ମାଝୀ, ସମ୍ପାଦକ ନୀଳଚକ୍ର ମାଝୀଙ୍କ ନେତୃତ୍ବରେ ସ୍ବେଚ୍ଛାକୃତ ରାସ୍ତା ମରାମତି କାମରେ 30 ଜଣ ଯୁବକ ନିଜକୁ ସାମିଲ କରିଛନ୍ତି ।
ପ୍ରାକ୍ତ ସୂଚନା ମୁତାବକ ରାୟପୁର ଭାୟା ନୂଆପଡା-ଖଡ଼ିଆଳ ଦେଇ 353 ଜାତୀୟ ରାଜପଥ ଲମ୍ବିଯାଇଛି ଗୋପାଳପୁର ପର୍ଯ୍ୟନ୍ତ। 353 ଜାତୀୟ ରାଜପଥ ପେଣ୍ଡରାବନ୍ଧ ଗ୍ରାମ ପରଦେଶେନ ଦେବୀ ପୀଠ ଠାରୁ ଝାଳକୁସୁମ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ରାସ୍ତା ମରଣ ଯନ୍ତା ପାଲଟିଛି । ପିଚୁ ଉଠିଯାଇ ଖାଲଖମା ହୋଇ ବର୍ଷା ପାଣି ଜମାଟ ବାନ୍ଧୁଛି । ଫଳରେ ପଥଚାରୀମାନେ ଦୁର୍ଘଟଣାର ଶିକାର ହୋଇ ଅକାଳରେ ମୃତ୍ୟୁବରଣ କରୁଥିବା ଦୃଷ୍ଟାନ୍ତ ରହିଛି ।
ରାସ୍ତା ମରାମତି ପାଇଁ ସ୍ଥାନୀୟ ଯୁବ ଗୋଷ୍ଠୀ ବାରମ୍ବାର NH ବିଭାଗକୁ ଜଣାଇ ଆସୁଛନ୍ତି, ହେଲେ ବିଭାଗୀୟ ଅଧିକାରୀମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ଫଳରେ ନିଜ ସମସ୍ୟା ନିଜେ ସମାଧାନ କରିବା ମନ୍ତ୍ରରେ ମନ୍ତ୍ରିତ ହୋଇ ଜୟ ମାଁ ପରଦେଶେନ ଯୁବ ଗୋଷ୍ଠୀର ଯୁବକମାନେ ଅଣ୍ଟା ଭିଡ଼ିଛନ୍ତି । ଫାଉଡା, କୁରାଡ଼ି, ଘମଲା ଧରି ରାସ୍ତା ମଝିରେ ଥିବା ବଡ ବଡ ଖାଲ ଗୁଡିକରେ ମୋରମ ପକାଇ ସମତୁଲ କରିଛନ୍ତି। ଝାଳକୁସୁମ ପର୍ଯ୍ୟନ୍ତ ଦୀର୍ଘ ଏକ କିଲୋମିଟର ରାସ୍ତା ମରାମତି କରି ପ୍ରଶାସନର ଅପାରଗତାକୁ ପଦାରେ ପକାଇଛନ୍ତି। ଯୁବ ଗୋଷ୍ଠୀର ଏଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକେ ଭୁରି ଭୁରି ପ୍ରଶଂସା କରିଛନ୍ତି।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ