ନୂଆପଡା: ଦାଉ ସାଜିଲା ଲଗାଣ ବର୍ଷା । ଶୋଇଥିବା ବେଳେ ଭୁଶୁଡିଲା ଘର କାନ୍ଥ । ଅଳ୍ପକେ ବର୍ତ୍ତିଗଲା 4 ନିରୀହ ଜୀବନ । ଗତ ରବିବାର ମଧ୍ୟରାତ୍ରିରେ ଏପରି ଘଟିଛି ନୂଆପଡା ଜିଲ୍ଲା ବୋଡେନ ବ୍ଲକ୍ ଡୋଟୋ ଗାଁରେ । ଗାଁର ଅସହାୟ ବିଧବା ଘରମଣି ବେୱାଙ୍କ ଘର ଅବିଶ୍ରାନ୍ତ ବର୍ଷାରେ ଛାରଖାର ହୋଇଯାଇଛି । 9 ବର୍ଷ ପୂର୍ବେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ମୁଣ୍ଡ ଗୁଞ୍ଜିବାକୁ ଥିବା ଘର ଖଣ୍ଡକ ଭାଙ୍ଗି ଯିବା ପରେ...ଦ୍ବିଗୁଣିତ ହୋଇଛି ଘରମଣିଙ୍କ ଦୁର୍ଦ୍ଦଶା । ତେବେ ଏଥିରେ ଭାଙ୍ଗି ନପଡି ଆର୍ଥିକ ସାହାଯ୍ୟ ପାଇଲେ ପୁଣି ଘର କରିବେ ବୋଲି ଆଶା ବାନ୍ଧିଛନ୍ତି ସେ ।
ସ୍ବାମୀଙ୍କ ମୃତ୍ୟୁ ପରେ ଶାଶୂ ଓ ଦୁଇ ପୁଅଙ୍କୁ ମୂଲ ମଜୁରି ଲାଗି ପୋଷନ୍ତି ଘରମଣି । ତେବେ ଏହାରି ଭିତରେ ଘର ଭାଙ୍ଗିଯିବା ଫଳରେ ସେ ଅସହାୟ ହୋଇପଡିଛନ୍ତି । ସେପଟେ ଏପରି ପରିସ୍ଥିତିରେ ପ୍ରଶାସନ ସହଯୋଗର ହାତ ବଢାଇବ ବୋଲି ଆଶ୍ବାସନା ଦେଇଛି ।
ଘର ଭାଙ୍ଗିଯିବା ପରେ ଏବେ ସରକାରୀ ସହାୟତା ଜରୁରୀ ହୋଇ ପଡିଛି । ତେବେ କେବେ ଶୁଣିବେ ସରକାର ଆଉ କେବେ ଘରମଣୀଙ୍କୁ ମିଳିବ ଘର ତାହା ଦେଖିବାକୁ ବାକି ରହିଲା ।
ନୂଆପଡାରୁ ମୋତିଲାଲ୍ ବାଗ୍, ଇଟିଭି ଭାରତ