ନୂଆପଡା: ଚକ୍ରି ବାଣ ଫୁଟି ହୁତୁହୁତୁ ହୋଇ ଜଳିଗଲା ଇଲେକ୍ଟ୍ରିକାଲ ଦୋକାନ । ଆଖି ପିଛୁଳାକେ ପୋଡି ପାଉଁଶ ପାଲଟିଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଦିନ କେଇଟା ପରେ ଦୀପାବଳି । ଦିଲ୍ଲୀରୁ ପଲ୍ଲୀ ସବୁଠି ମହାଆଡମ୍ବରରେ ଆଲୋକର ପର୍ବ ପାଳନ ହେବ । ଦୀପାବଳି ପାଇଁ ଚାରିଆଡେ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ନୂଆପଡ଼ା ଜିଲ୍ଲାର ଖଡିଆଳ ସହରରେ ଗତକାଲି (ବୁଧବାର) ରାତିରେ ଏଭଳି ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଚକ୍ରି ବାଣ ଫୁଟି ଗୋଟିଏ ଇଲେକ୍ଟ୍ରିକ ଦୋକାନରେ ନିଆଁ ଲାଗିଯାଇଛି । ଏଥିରେ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ଘଟିଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ଏହା ମଧ୍ୟ ପଢନ୍ତୁ : ସଟ୍ ସର୍କିଟରୁ ଅଗ୍ନିକାଣ୍ଡ, ଜଣେ ଜୀବନ୍ତ ଦଗ୍ଧ ୨ ଗୁରୁତର
ସୂଚନା ଯୋଗ୍ୟ ଯେ, ଖଡ଼ିଆଳ ସହର ସ୍ଥିତ ମାଛ ବଜାର ନିକଟରେ ରହିଛି ତିରୁପତି ଇଲେକ୍ଟ୍ରିକାଲ ଦୋକାନ । ଦୋକାନ ପଛପଟ କଲୋନୀରେ କିଛି ଲୋକ ଭଡାଘରେ ରହି ଆସୁଛନ୍ତି । ସେଠାରେ ରହୁଥିବା କିଛି ଛୋଟ ପିଲା କାଲି ସନ୍ଧ୍ୟାରେ ଚକ୍ରି ବାଣ ଫୁଟାଉଥିଲେ । ବାଣର ନିଆଁ ଯାଇ ଇଲେକ୍ଟ୍ରିକାଲ ଦୋକାନରେ ପଡ଼ିଥିଲା । ଯାହାଫଳରେ କେହି କିଛି ବୁଝିବା ପୂର୍ବରୁ ନିମିଷେକ ମଧ୍ୟରେ ପୁରା ଦୋକାନରେ ନିଆଁ ବ୍ୟାପି ଯାଇଥିଲା । ଏହା ଦେଖି ଦୋକାନ ମାଲିକ ନନ୍ଦଲାଲ ଅଗ୍ରୱାଲ ସଙ୍ଗେ ସଙ୍ଗେ ଖଡ଼ିଆଳ ଅଗ୍ନିଶମ ବାହିନୀକୁ ଫୋନ୍ କରି ଡକାଇ ଥିଲେ । ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସେତେବେଳକୁ ଦୋକାନରେ ଥିବା ଲକ୍ଷାଧିକ ମୂଲ୍ୟର ଇଲେକ୍ଟ୍ରିକାଲ ସାମଗ୍ରୀ ପୋଡ଼ି ଛାରଖାର ହୋଇଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: Diwali 2023: ଜଟଣୀରେ ଜମୁଛି ବାଣ ବ୍ୟବସାୟ, ଜିଲ୍ଲା ବାହାରୁ ଗ୍ରାହକଙ୍କ ଭିଡ଼
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୧୨ରେ ଆଲୋକର ପର୍ବ ଦୀପାବଳି ପାଳନ ହେବ । ଦୀପାବଳିରେ ଅଧିକ ବାୟୁ ପ୍ରଦୂଷଣ କରୁଥିବା ବେରିୟମ ଭଳି ରସାୟନ ବାଣ ଫୁଟାଇବା ବ୍ୟାନ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସବୁଜ ବାଣ ବା ଗ୍ରୀନ୍ କ୍ରାକରକୁ ଅନୁମତି ମିଳିଛି । ସେଥିପାଇଁ ବିଭିନ୍ନ ଦୋକାନ ବଜାରରେ ସବୁଜ ବାଣ ବେପାର ଜମିଲାଣି । ହେଲେ ଦୀପାବଳିର ଅବ୍ୟବହିତ ପୂର୍ବରୁ ନୂଆପଡା ଜିଲ୍ଲାରେ ଏଭଳି ବାଣ ଜନିତ ଅଘଟଣ ସାମ୍ନାକୁ ଆସିଛି ।
ଇଟିଭି ଭାରତ, ନୂଆପଡା