ନୂଆପଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି (ରବିବାର) ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ଅଧ୍ୟକ୍ଷତାରେ ଘନ ଘନ ବୈଠକ ବସୁଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ଜିଲ୍ଲାପାଳ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ରାଘବେନ୍ଦ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।
ସିଲେଟପାଣି ଗ୍ରାମରେ ନବନିର୍ମିତ ବିଜୁ ଏକ୍ସପ୍ରେସ କଡରେ ଥିବା ଖେଳ ପଡ଼ିଆ ଠାରେ ଅସ୍ଥାୟୀ ହେଲିପ୍ୟାଡ଼ ବ୍ୟବସ୍ଥା କରାଯାଇଛି । ଏହାସହିତ ପଡିଆରେ ସଭା ମଣ୍ଡପ, ଯାନବାହାନ ପାର୍କିଂ ବନ୍ଦୋବସ୍ତ ହୋଇଛି । ମିଶନ ଶକ୍ତି ମହିଳାମାନେ ସଭାସ୍ଥଳରେ ବସିବା ପାଇଁ ସ୍ୱତନ୍ତ୍ର ତୋରଣର ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ରବିବାର ପୂର୍ବାହ୍ନ 12ଟା 20 ମିନିଟ ସମୟରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ନୂଆପଡ଼ାରେ ପହଞ୍ଚିବେ । ଜିଲ୍ଲାରେ 500 କୋଟି ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପ ଓ ଜନ କଲ୍ୟାଣକାରୀ ଯୋଜନାର ଲୋକାର୍ପଣ କରିବେ ।
ନୂଆପଡା ଘାଟିପଡା ଠାରୁ ସିନାପାଲି ଚଲନା ଗ୍ରାମ ପର୍ଯ୍ୟନ୍ତ 110 କିଲୋମିଟର ନୂଆପଡାର ଲାଇଫ ଲାଇନ କୁହାଯାଉଥିବା ବିଜୁ ଏକ୍ସପ୍ରେସ ୱେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ସେହିଭଳି 15 କୋଟି ଟଙ୍କାରେ ନିର୍ମିତ ଗ୍ରାମୀଣ ସଡକ, 12.40 କୋଟି ବ୍ୟୟରେ ଖଡ଼ିଆଳ ଠାରେ ନବନିର୍ମିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ, 2.5 କୋଟି ବ୍ୟୟରେ ନିର୍ମିତ ମିଶନ ଶକ୍ତି ଗୃହ, 11 କୋଟି ଅର୍ଥରେ ଗ୍ରାମାଞ୍ଚଳ ପାଇପ ଲାଇନ ଜଳ ଯୋଗାଣ ପ୍ରକଳ୍ପ ଏବଂ 111 କୋଟିର ସହରାଞ୍ଚଳ ଜଳଯୋଗାଣ ଭଳି ଅନେକ ପ୍ରକଳ୍ପର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ବିଜୁ ଏକ୍ସପ୍ରେସ ୱେ କଡରେ ଯେକୌଣସି ବ୍ୟବସାୟୀ ବ୍ୟବସାୟ କରିବାକୁ ଚାହିଁଲେ ସରକାର ସେମାନଙ୍କୁ ୧୦ କୋଟି ପର୍ଯ୍ୟନ୍ତ ଋଣ ପ୍ରଦାନ କରିବେ । ଏହି ଋଣ ଉପରେ ୩୦ ପ୍ରତିଶତ ସବିସିଡି ମିଳିବ । ଏହାଦ୍ବାରା ଜିଲ୍ଲାରେ ବେକାରୀ ଯୁବକ ଯୁବତୀଙ୍କୁ ରୋଜଗାର ମିଳିପାରିବ ବୋଲି ଯୋଜନା ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସୂଚନା ଦେଇଛନ୍ତି ।
ନୂଆପଡା ଏକ ମାଓ ପ୍ରବଣ ଜିଲ୍ଲା ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲାର କୋମନା, ଖଡ଼ିଆଳ, ସିନାପାଲି, ବୋଡେ଼ନ ଅଞ୍ଚଳର ଲକ୍ଷାଧିକ ଲୋକଙ୍କ ସମାବେଶ ହେବ ବୋଲି ଅନୁମାନ କରାଯାଉଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାକୁ ଫୋକସ୍ କରୁଥିବା ରାଜନୈତିକ ବିଶେଷଜ୍ଞମାନେ ଚର୍ଚ୍ଚା କରୁଛନ୍ତି । ତେବେ ଏଥର ମୁଖ୍ୟମନ୍ତ୍ରୀ ନୂଆପଡା ଜିଲ୍ଲାକୁ କଣ କଣ ନୂଆ ଭେଟି ଦେଉଛନ୍ତି ତାହାକୁ ଅପେକ୍ଷା ।
ଇଟିଭି ଭାରତ, ନୂଆପଡା