ନୂଆପଡା: ସମାଜର ଅବହେଳିତ ନାବାଳକ ଶିଶୁ ମାନଙ୍କୁ ଉଦ୍ଧାର କରି ସରକାର ସୁରକ୍ଷା ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ବାସ୍ତବରେ ଶିଶୁମାନଙ୍କ ସୁରକ୍ଷା ଦିଗରେ ସରକାରୀ ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ସମୀକ୍ଷା କରିବା ପାଇଁ କାହାରି ଦୃଷ୍ଟିନାହିଁ । ଯାହାଫଳରେ ଗ୍ରାମାଞ୍ଚଳର ଶିଶୁମାନଙ୍କ ଅବସ୍ଥା ଅତିଶୋଚନୀୟ ହୋଇପଡିଛି । ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ ୧୧୫ କିଲୋମିଟର ଦୂରତା କୋଟାମାଲ ଗାଁ ଡୁଙ୍ଗରିପଡାରେ ଏପରି ଏକ ଘଟଣାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ।
ଏମାନେ ପ୍ରତିଦିନ ୬ ଟି ମେଣ୍ଢାପଲର ଯତ୍ନନେଇ ଜଗୁଆଳି କାମକରୁଛନ୍ତି । ବେଳାଏ ଖାଇଲେ ବେଳାଏ ଭୋକିଲା ରହି ଶୋଇଯାଉଛନ୍ତି । ଏହା ସହ ମେଣ୍ଢାପଲ ଧରି ପ୍ରତିଦିନ ବଣପାହାଡ ଅଞ୍ଚଳକୁ ଯାଇ ଖଜୁରୀ, ଚାହାଁର, କେନ୍ଦୁ ଖାଇବାସହ ଝରଣାର ପାଣିପିଇ ଶୋଷ ମେଣ୍ଟାଉଥିବା ସେମାନେ କହିଛନ୍ତି ।
ସେପଟେ ଦାଦନଶ୍ରମିକଙ୍କ ପିଲାମାନେ ମାଗଣାରେ ପାଠପଢିବା ସହ ଋତୁକାଳୀନ ଆବାସିକ ବିଦ୍ୟାଳୟରେ ରହିବା ପାଇଁ ସରକାର ବ୍ୟବସ୍ଥା କରିଥିବାବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଏମାନେ ସେ ସୁବିଧାରୁ ବଞ୍ଚିତ ଥିବା କୁହାଯାଉଛି । ଅନ୍ୟପଟେ ଏନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ଦୁଇ ନାବାଳକଙ୍କୁ ଉଦ୍ଧାର କରି ଋତୁକାଳୀନ ଆବାସିକ ବିଦ୍ୟାଳୟରେ ରଖିବାର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ