ନୂଆପଡ଼ା: ଜିଲ୍ଲାର ନୂଆମାଲପଡା ଛତିଶଗଡ଼ ସୀମାନ୍ତକୁ ଲାଗି ରହିଥିବା ବେଳେ ଏହାର ଜମି, ଜଙ୍ଗଲ, ପାଣି ଅସୁରକ୍ଷିତ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି । ଗତ 3ବର୍ଷ ଧରି ନୂଆମାଲପଡା ସୀମାନ୍ତ ଜମି ବିବାଦ ତୁଟି ନଥିବା ବେଳେ ଏବେ ଓଡିଶା ଜଙ୍ଗଲ ଉପରେ ପୁଣି ଛତିଶଗଡ଼ ଲୋକେ ଜବର ଦଖଲ କରୁଥିବା ବନ ସୁରକ୍ଷା ସମିତି ସଭ୍ୟମାନେ ଅଭିଯୋଗ କରିଛନ୍ତି ।
ଜିଲ୍ଲାର କୋଇଲାଖଳା ସଂରକ୍ଷିତ ଗେଘାଟି ଜଙ୍ଗଲ ଗଛକୁ କାଟି ଛତିଶଗଡ଼ ବନୁଆପଡା ଗାଁଲୋକେ ମକା, ପୋଡୁ ଚାଷ ପାଇଁ ଜବର ଦଖଲ କରୁଛନ୍ତି । ମହାନଦୀରେ ବ୍ୟାରେଜ ନିର୍ମାଣକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଛତିଶଗଡ଼ ବନୁଆପଡା ଗାଁର ଚାଷୀମାନେ ଗଛକାଟି ଓଡିଶା ଜଙ୍ଗଲକୁ ଅକ୍ତିଆର କରୁଛନ୍ତି ।
ନୂଆମାଲପଡା ଗେଘାଟି ଜଙ୍ଗଲ ତଟରେ ଆନ୍ତଃ ରାଜ୍ୟ ସୀମା ଫଳକ ଲାଗିଛି । ଏହି ସୀମା ଫଳକର ତଳି ଅଞ୍ଚଳ ଛତିଶଗଡ଼ ହୋଇଥିବା ବେଳେ ଉପରକୁ ଲାଗି ରହିଛି ଓଡିଶା ବନ ବିଭାଗର କୋଇଲାଖଳା ଗେଘାଟି ଜଙ୍ଗଲ । ଛତିଶଗଡ଼ ରାଜ୍ୟର ବାସିନ୍ଦା ଏହି ଫଳକୁ କ୍ରସ କରି ଓଡିଶା ଜଙ୍ଗଲକୁ କାଟି ଛତିଶଗଡ଼ ବନୁଆପଡା ଗାଁର ଚାଷୀମାନେ ଅକ୍ତିଆର କରୁଥିବା ନୂଆମାଲପଡା ବନ ସୁରକ୍ଷା ସମିତି ସଭ୍ୟ ମାନେ ଅଭିଯୋଗ କରିଛନ୍ତି ।
ଏହି କୋଇଲା ଖଣି 19 କିଲୋମିଟର ଲମ୍ବି ରହିଥିବା ବେଳେ ଶାଗୁଆନ, ସରଗି, ଧଉଁରା ଭଳି ମୂଲ୍ୟବାନ ବୃକ୍ଷ ରହିଛି । ଛତିଶଗଡ଼ର ବନୁଆପଡା ଗ୍ରାମବାସୀ ଏହ ଜଙ୍ଗଲରୁ ଗଛ କାଟି ନିଆଁରେ ପୋଡ଼ି ଦେଇ ମକାଚାଷ ପାଇଁ ପଡିଆ ତିଆରି କରୁଛନ୍ତି । ନୂଆମାଲପଡା ବନସୁରକ୍ଷା ସମିତି ସଦସ୍ୟମାନେ ସ୍ଥାନୀୟ ଫରେଷ୍ଟର, ଫରେଷ୍ଟ ଗାର୍ଡକୁ ଜଣାଇଥିଲେ ମଧ୍ୟ ସେମାନେ ଦୃଷ୍ଟି ଦେଇନଥିବାରୁ ବନସୁରକ୍ଷା ସମିତି ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ ଟିମଠାରୁ ଘଟଣା ସମ୍ପର୍କରେ ଖବର ପାଇବା ପରେ ସିନାପାଲି ରେଞ୍ଜର ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି । ଅନ୍ୟପଟେ ଜଙ୍ଗଲକୁ ସୁରକ୍ଷା ଯୋଗାଇବା ସହ ଜବର ଦଖଲକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖଡ଼ିଆଳ ବନଖଣ୍ଡ ACF ଜୟରାମ ଶବର କହିଛନ୍ତି ।
ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ