ନୂଆପଡା: ଜିଲ୍ଲା ପ୍ରମୁଖ ସହର ଐତିହାସିକ ରାଜ ଦରବାର ଠାରେ କଡା ସୁରକ୍ଷା ବଳରେ ଯୋଡି ଛତର ଯାତ୍ରା ସମ୍ପନ୍ନ ହୋଇଯାଇଛି । ଗଡଜାତ ଗଡରକ୍ଷକ ମାଆ ରକ୍ତାମ୍ବରି ଦେବୀଙ୍କ ଛତର ପ୍ରଥମେ ମନ୍ଦିର ବେଢାରୁ ବାହାରି ଖଡ଼ିଆଳ ଦରବାର ଭିତରକୁ ଯାଇ ରାଣୀ ସାହେବାଙ୍କ ଠାରୁ ପୂଜା ପାଇଛନ୍ତି ।
ପରେ ଖଡ଼ିଆଳ ଚୌହାନ ବଂଶୀୟ ଇଷ୍ଟଦେବୀ ମାଆ ସମ୍ବଲେଶ୍ବରୀଙ୍କ ଛତର ସିଂହଦ୍ବାର ସ୍ଥିତ ମନ୍ଦିର ବେଢାରୁ ବାହାରି ରାଣୀ ସାହେବାଙ୍କ ପାଖକୁ ଯାଇଥିଲେ । ନୀତିନିର୍ଘଣ୍ଟ ପରମ୍ପରାରେ ଆଧାରିତ ଉଭୟ ଦେବୀ ମା'ଙ୍କୁ ରାଣୀ ସାହେବା ପୂଜାର୍ଚ୍ଚନା କରିବା ପରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ନଗର ପରିକ୍ରମା ନକରିବାକୁ ଦେବୀ ଦ୍ବୟଙ୍କୁ ବୁଝାଇଥିଲେ ।
କୋଭିଡ କଟକଣାର ମହାପ୍ରଭାବରେ ଶତାୟୁ ବର୍ଷର ନୀତି ନିର୍ଘଣ୍ଟ ପରମ୍ପରା ଚଳିତ ବର୍ଷ ବଦଳି ଯାଇଛି । ଯାହା ଶ୍ରଦ୍ଧାଳୁଙ୍କୁ ଆଘାତ ପହଞ୍ଚାଇଛି । କାରଣ ଖଡ଼ିଆଳ ଚୌହାନ ବଂଶୀୟ ଗଡ଼ଦେବୀ ମା' ରକ୍ତାମ୍ବରି ଏବଂ ଇଷ୍ଟଦେବୀ ମା' ସମଲେଶ୍ବରୀଙ୍କ ଯୋଡି ଛତର ଦର୍ଶନ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଲୋକଙ୍କ ଅଗାଢ଼ ବିଶ୍ବାସ ରହିଛି ।
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ