ନୂଆପଡ଼ା: ନୂଆପଡ଼ାରେ PDS ଦୁର୍ନୀତି । କୋମନା ବ୍ଲକ ରଜନା ଗ୍ରାମପଞ୍ଚାୟତରେ PDS ଚାଉଳ ଯୋଗାଣରେ ଦୁର୍ନୀତି ଅଭିଯୋଗ ହୋଇଛି । ସରପଞ୍ଚ, PEO ଓ ଯୋଗାଣ ସହାୟକ ୬ ମାସର PDS ଚାଉଳ ହଡ଼ପ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ଏହାକୁ ନେଇ ସ୍ଥାନୀୟ ଲୋକେ ପଞ୍ଚାୟତ ଅଫିସ୍ରେ ପହଞ୍ଚି ପ୍ରତିବାଦ କରିଥିଲେ । ଖବର ପାଇବା ପରେ ପଞ୍ଚାୟତ ଅଫିସ୍ରେ ଜିଲ୍ଲା ଯୋଗାଣ ଅଧିକାରୀ, କୋମନା ବିଡିଓ ସମେତ ଏକାଧିକ ଅଧିକାରୀ ପହଞ୍ଚି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ ।
2013ରେ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ ହେବାପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଶ୍ରେଣୀଭୁକ୍ତ ଲୋକଙ୍କୁ PDS ଚାଉଳ ବଣ୍ଟନ ଆରମ୍ଭ ହୋଇଥିଲା । ହେଲେ କିଛି ଅସାଧୁ କର୍ମଚାରୀ ଓ କଳାବଜାରୀ କାରଣରୁ ହିତାଧିକାରୀଙ୍କୁ ଏହି ଚାଉଳ ମିଳି ପାରୁନାହିଁ । ନୂଆପଡ଼ା କୋମନା ବ୍ଲକ ରଜନା ଗ୍ରାମପଞ୍ଚାୟତରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଗୋଟିଏ କି ଦୁଇ ମାସ ନୁହେଁ, ବରଂ ୬ ମାସ ହେଲା ଏଠାରେ ହିତାଧୀକାରୀଙ୍କୁ PDS ଚାଉଳ ମିଳିପାରିନଥିବା ଅଭିଯୋଗ ହୋଇଛି ।
କାଲିମେଟ, ବେଲଗାଁ, ରଜନା, ମାଠିଆପଦର ଭଳି 4ଟି ଗ୍ରାମକୁ ନେଇ ଗଠିତ ରଜନା ଗ୍ରାମ ପଞ୍ଚାୟତ । ଏହି ଗ୍ରାମପଞ୍ଚାୟତରେ 886 ଜଣ PDS ଚାଉଳ ହିତାଧୀକାରୀ ରହିଛନ୍ତି । ଯୋଗାଣ ସହାୟକ କେଶବ ମାଝୀ PDS ଚାଉଳ ବଣ୍ଟନ ଦାୟିତ୍ବରେ ରହିଛନ୍ତି । ହେଲେ ଆଜିକୁ 6 ମାସହେବ ଚାଉଳ ବଣ୍ଟନ ନକରି ନିଜେ 6 ମାସର ଚାଉଳ ହଡ଼ପ କରିଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । ଫଳରେ ଚାଉଳ ନପାଇ ଅସହାୟ ଗରିବ ହିତାଧିକାରୀ ଭୋକ ଉପାସରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି ।
ଏହାକୁ ନେଇ ରଜନା ଗ୍ରାମପଞ୍ଚାୟତ ଅଫିସ୍ରେ ହିତାଧିକାରୀ ପହଞ୍ଚି ପ୍ରତିବାଦ ଆରମ୍ଭ କରିଥିଲେ । ଏହାପରେ ଜିଲ୍ଲାସ୍ତରୀୟ ଟିମ୍ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି । ଖାଲି PDS ଚାଉଳ ନୁହେଁ ବରଂ ଆବାସ ଯୋଜନା, ରାସ୍ତା ନିର୍ମାଣ ଓ ଅନ୍ୟାନ ସରକାରୀ ଯୋଜନାରେ ମଧ୍ୟ ଏଠାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନେତୃତ୍ବରେ ଏକ ସରକାରୀ ଟିମ୍ ରଜନା ଗ୍ରାମପଞ୍ଚାୟତରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।
ଇଟିଭି ଭାରତ, ନୂଆପଡ଼ା