ନୟାଗଡ଼: ମାତିଛନ୍ତି କାଠ ମାଫିଆ । ଥୁଣ୍ଟା ହେଉଛି ଜଙ୍ଗଲ । ବନ ବିଭାଗର ଆଖି ଆଢୁଆଳରେ ଲୁଟ୍ ହେଉଛି ଜଙ୍ଗଲ । ଶାଳ ଶାଗୁଆନ ଭଳି ମୂଲ୍ୟବାନ କାଠ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି । ନୟାଗଡ଼ ବନଖଣ୍ଡ ମହିପୁର ବନାଞ୍ଚଳ ଅଧିନରେ ଥିବା ଗୁମି ବିଟ ଅନ୍ତର୍ଗତ ଲୁଣି ଜଙ୍ଗଲରୁ ବିପୁଳ ପରିମାଣର ଶାଳ କାଠ ରାତି ଅଧିଆ ମାଫିଆମାନେ କାଟି ନେଉଥିବା ଅଭିଯୋଗ ହୋଇଛି ।
ଗୁମି ବିଟରେ ବନ ବିଭାଗ କର୍ମଚାରୀ ଥିଲେ ମଧ୍ୟ ଜଙ୍ଗଲରୁ ଟ୍ରିପ ଟ୍ରିପ କାଠ ଚୋରି ହେଉଥିବା ଅଭିଯୋଗ ହୋଇଛି । ବଡ଼ ବଡ଼ ଶାଳ ଗଛ ଥୁଣ୍ଟା ହେବାକୁ ବସିଲାଣି । ଜଙ୍ଗଲ ସଫା ହେବାକୁ ବସିଲାଣି କିନ୍ତୁ କାର୍ଯ୍ୟରତ ବନ ଅଧିକାରୀଙ୍କ କୌଣସି ଦେଖାନାହିଁ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ସ୍ଥାନୀୟ ଜଙ୍ଗଲ ସୁରକ୍ଷାରେ କାର୍ଯ୍ୟରତ ବନ ବିଭାଗ କର୍ମଚାରୀ ଏଠାକୁ କୌଣସି ଦିନ ଆସନ୍ତି ନାହିଁ । ଯାହା ଫଳରେ କାଠ ମାଫିଆଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଏପରିକି ଦିନ ବେଳେ ମଧ୍ୟ ଜଙ୍ଗଲରୁ ଶାଳ ଗଛ ଲୁଟ୍ ହେଉଛି । ଏପଟେ ଚୋରାଚାଲାଣକୁ ରୋକି ପାରୁନି ବନ ବିଭାଗ ।
ଏହା ମଧ୍ୟ ପଢ଼ନ୍ତୁ: ବିଦ୍ୟୁତ ବିଭ୍ରାଟ ନେଇ ତାତିଲେ ଗ୍ରାମବାସୀ, ଯନ୍ତ୍ରୀଙ୍କୁ ବାହାରୁ ତାଲା ପକାଇ ବିକ୍ଷୋଭ
ଏନେଇ ଗ୍ରାମବାସୀ କହିଛନ୍ତି, "ପିକ୍ଅପ ଭ୍ୟାନ ଯୋଗେଁ ରାତି ଅଧରେ ଚୋରା ଶାଳ କାଠ ଚାଲାଣ ହେଉଛି । କୌଣସି ବନ କର୍ମଚାରୀଙ୍କୁ ଜଣାଇଲେ ମଧ୍ୟ ସେମାନେ ଆସୁନାହାନ୍ତି । ଏଥିରେ ବନ କର୍ମଚାରୀଙ୍କ ହାତଥିବା ସନ୍ଦେହ କରାଯାଉଛି ।" ଯଦିଓ ବିଭିନ୍ନ ସମୟରେ ନୟାଗଡ଼ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି । କିନ୍ତୁ କାଠ ମାଫିଆଙ୍କୁ ରୋକ ଦେଇପାରୁନି ।
ଗୁମି ବିଟ ଅଧୀନରେ ଥିବା ଜଙ୍ଗଲରେ ଅନେକ ମୂଲ୍ୟବାନ ଗଛ ରହିଛି । ଶାଳ ଶାଗୁଆନ ଗଛରେ ଭରି ରହିଛି ପୁରା ଜଙ୍ଗଲ । ମାତ୍ର ବନ ବିଭାଗ ଏହାକୁ ସୁରକ୍ଷା ଦେଇପାରୁନି । ଜଙ୍ଗଲ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ ତାହା କେତେ ଯେ ସଫଳ ହେଉଛି ଏଥିରୁ ସ୍ପଷ୍ଟ ବାରି ହେଉଛି । ଜଙ୍ଗଲକୁ ସୁରକ୍ଷା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଇଟିଭି ଭାରତ, ନୟାଗଡ଼