ନୟାଗଡ଼: ଜିଲ୍ଲାରେ ଦଣ୍ଡଯାତ୍ରାକୁ କେନ୍ଦ୍ର କରି ଗତ ୧୩ ତାରିଖରେ ୨ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିଲା । ଏହି ସଂଘର୍ଷରେ ଦୁର୍ଗାପ୍ରସାଦ ଗାଁର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ସାଧାରଣ ଲୋକଙ୍କ ସହିତ ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ତେବେ ଏହି ଘଟଣାରେ ପୋଲିସ ଏଯାବତ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିନଥିବା ଅଭିଯୋଗ କରିଛନ୍ତି ଦୁର୍ଗାପ୍ରସାଦ ଗ୍ରାମବାସୀ ।
ଗାଁ ଗାଁ ଭିତରେ ସଂଘର୍ଷ ବେଳେ ଦୁର୍ଗାପ୍ରସାଦ ଗାଁର 28 ବର୍ଷୀୟ ଯୁବକ ନବୀନ ପରିଡ଼ାଙ୍କୁ ଦେଉଳପଲ୍ଲୀ ଗାଁ ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଉଭୟ ଗାଁର ଅନେକ ଲୋକ ଏବଂ ଟାଉନ ଥାନା IIC ସମେତ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ଘଟଣାରେ ନୟାଗଡ଼ ଟାଉନ ଥାନା ପୋଲିସର ଗିରଫଦାରୀ ଜାରୀ ରହିଛି । ଇତିମଧ୍ୟରେ ଦେଉଳପଲ୍ଲୀ ଗାଁର ପ୍ରାୟ 10 ଜଣଙ୍କୁ ଗିରଫ କଲାଣି ପୋଲିସ । କିନ୍ତୁ ଏଯାବତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିନଥିବା ଦୁର୍ଗାପ୍ରସାଦ ଗାଁର ଲୋକେ ଅଭିଯୋଗ ଆଣିଛନ୍ତି । ଏପଟେ ଗିରଫ ଭୟରେ ଦେଉଳପଲ୍ଲୀ ଗାଁ ପୁରୁଷଶୂନ୍ୟ ହୋଇପଡିଛି ।
ଅନେକଙ୍କ ଘରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ଦୁର୍ଗାପ୍ରସାଦ ଗ୍ରାମବାସୀ ନ୍ୟାୟ ଅପେକ୍ଷା ଅଛନ୍ତି । ଗାଁର ଜଣେ ଯୁବକଙ୍କୁ ଦେଉଳପଲ୍ଲୀ ଗାଁ ଏକାଧିକ ଲୋକେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । କିନ୍ତୁ ପୋଲିସ ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିନାହିଁ । ଏହି ହତ୍ୟା ଘଟଣାରେ ପ୍ରାୟ 15 ଜଣ ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ବହୁ ଲୋକ ମଧ୍ୟ ସାମିଲ ରହିଛନ୍ତି । କିନ୍ତୁ ପୋଲିସ ସେମାନଙ୍କୁ ଗିରଫ କରିନଥିବା ଦୁର୍ଗାପ୍ରସାଦ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ