ନୟାଗଡ: ଜିଲ୍ଲାର ମୃତ ତପସ୍ବିନୀ ହତ୍ୟା ଘଟଣାରେ ନୂଆ ଟ୍ବିଷ୍ଟ । ମୃତ୍ୟୁର ୧୮ ବର୍ଷ ପରେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ତପସ୍ବିନୀଙ୍କ ମୃତ୍ୟୁକୁ ନେଇ ବିଜେଡିର ଟାଣୁଆ ନେତା ଗୟାଧର ପରିଡାଙ୍କ ସମ୍ପୃକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ତପସ୍ବିନୀଙ୍କ ବାପା ।
ସୂଚନାଅନୁସାରେ, 2003 ମସିହା ଜାନୁଆରୀ 1ତାରିଖରେ ନୟାଗଡ ଜିଲ୍ଲା ଭାପୁର ବ୍ଲକ ବିଜିପୁର ଗାଁର ଅଜୟ ପଟ୍ଟନାୟକଙ୍କ ଝିଅ ତପସ୍ବିନୀ ପଟ୍ଟନାୟକଙ୍କ ସିକିଲସିଲ ରୋଗ ଯୋଗୁଁ ମୃତ୍ୟୁ ହୋଇଥିଲା l ତେବେ ତପସ୍ବିନୀଙ୍କ ମୃତ୍ୟୁକୁ ନେଇ ଏବେ ରାଜନୀତି ଜୋର ଧରିଛି l 18 ବର୍ଷ ତଳର ଏହି ଘଟଣାକୁ ନେଇ ରବି ନାୟକ ନାମକ ଜଣେ ବ୍ୟକ୍ତି କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ଘଟଣାଟିର ସତ୍ୟତା ନଥିବାରୁ କ୍ୟାପିଟାଲ ଥାନା ଅଭିଯୋଗ ଗ୍ରହଣ କରିନଥିଲା । ପରେ ଉକ୍ତ ରବି ନାମକ ଯୁବକ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।
ଏହା ଏକ ମୃତ୍ୟୁ ଘଟଣା ଏବଂ ଏଥିରେ ଗୟାଧର ପରିଡାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ କରିଛନ୍ତି ରବି ନାୟକ । ତପସ୍ୱିନୀ 2002 ମସିହାରେ ସିକିଲସିଲ ରୋଗରେ ପୀଡିତ ହୋଇଥିଲେ । ଡାକ୍ତର କେ.ଏନ ଦଲାଲଙ୍କ ତତ୍ୱାବଧାନରେ ନୀଳାଚଳ ହସ୍ପିଟାଲରେ ଦେଢ଼ବର୍ଷ ଚିକିତ୍ସିତ ହୋଇଥିଲେ । ପରେ ସ୍ୱାସ୍ଥ୍ୟରେ ଅବନତି ଯୋଗୁଁ 2003 ଜାନୁଆରୀ 1 ତାରିଖରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ମୃତ୍ୟୁ ପରେ ତପସ୍ବିନୀଙ୍କୁ ଘରକୁ ନଆଣି ପୁରୀ ସ୍ୱର୍ଗଦ୍ୱାରକୁ ନେଇ ଶବଦାହ କରିଥିଲେ । ତାଙ୍କ ନିଜ ବଡ ପୁଅ ମାନସ ରଞ୍ଜନ ପଟ୍ଟନାୟକ ଭଉଣୀ ତପସ୍ୱିନୀଙ୍କୁ ମୁଖାଗ୍ନି ଦେଇଥିଲେ ବୋଲି ସୂଚନା ଦେଇଛନ୍ତି ମୃତ ତପସ୍ୱିନୀଙ୍କ ବାପା ।
ତପସ୍ବିନୀଙ୍କ ବାପା କହିଛନ୍ତି ଯେ, "ଦୀର୍ଘ 18ବର୍ଷ ପରେ ମୋ ଝିଅ ତପସ୍ବିନୀକୁ ନେଇ ରାଜନୀତିକରଣ କରାଯାଉଛିି । ତପସ୍ୱିନୀଙ୍କୁ କେହି ହତ୍ୟା କରିନାହାନ୍ତି ବରଂ ରୋଗରେ ସେ ମୃତ୍ୟୁବରଣ କହିଛନ୍ତି । ଯଦି ହତ୍ୟା ହୋଇଥାନ୍ତା ମୁଁ ନିଜେ ସେତେବେଳେ ଅଭିଯୋଗ କରିଥାନ୍ତି । ଏବେ ଏହି ଘଟଣାକୁ ରାଜନୀତି କରାଯାଉଛି । ବିଜେଡି ନେତା ଗୟାଧରଙ୍କୁ ବଦନାମ ପାଇଁ ଏହି ଏକ ଯୋଜନା । ଏଥିରେ ବିଜେଡି ନେତା ଗୟାଧର ପରିଡାଙ୍କ କୌଣସି ସମ୍ପୃକ୍ତି ନାହିଁ ।"
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ