ନୟାଗଡ଼: ଗ୍ୟାସ ପାଇପ ଲାଇନ ନିର୍ମାଣ ବେଳେ କମ୍ପ୍ରେସର ଚାପରେ ଆସି ୨ ଶ୍ରମିକ ମୃତ । ଏହି ଘଟଣାରେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ଏଭଳି ଅଘଟଣ ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ସୁନାଲଟି ନିକଟରେ । ଆହତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଇ ମୃତକ ହେଲେ ମହାରାଷ୍ଟ୍ରର ସୋନୁ ଓ ବିଜୟ ଗାଙ୍ଗୁଲି । ସେହିଭଳି ଆହତ ମାନେ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ଗେଲ୍ ଇଣ୍ଡିଆ ପକ୍ଷରୁ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ସୁନାଲଟି ନିକଟରେ ପାଇପ ଲାଇନ ନିର୍ମାଣ ଚାଲିଛି । ଶନିବାର କମ୍ପ୍ରେସର ଯୋଗେ ସେଗୁଡିକୁ ସଫା କରାଯାଉଥିଲା । ଅଚାନକ କମ୍ପ୍ରେସର ଚାପରେ ଦୁଇ ଶ୍ରମିକ ଭିତରେ ଚାପି ହୋଇଯାଇଥିବା ବେଳେ ଅନ୍ୟ ୩ ଜଣ ବାହାରକୁ ଛିଟିକି ପଡ଼ିଥିଲେ । ଦୁର୍ଘଟଣା ପରେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଇଟାମାଟି ପୋଲିସ ଏହି ଘଟଣାର ତଦନ୍ତ କରୁଛି ।
ଇଟିଭି ଭାରତ, ନୟାଗଡ଼