ନୟାଗଡ଼: ନିର୍ବାଚନ ସମୟରେ ମଦ ଓ ଟଙ୍କା ବାଣ୍ଟିବା ଅଭିଯୋଗରେ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ଏବଂ ୱାର୍ଡ ସଭ୍ୟା ପ୍ରାର୍ଥୀନୀଙ୍କ ସ୍ୱାମୀ ଅଟକ ରହିଛନ୍ତି । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ମୟୂରଝାଲିଆ ଗାଁରେ ଘଟିଛି ଏହି ଘଟଣା l ଏଭଲି ଘୃଣ୍ୟ କାର୍ଯ୍ୟ କରୁଥିବା ବେଳେ ପ୍ରାର୍ଥୀଙ୍କୁ କାବୁ କରି ପୋଲିସ ଜିମାରେ ଦେଲେ ଗ୍ରାମବାସୀ ।
ମୟୂରଝାଲିଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ କୁମାର କଳସ, ସମିତି ସଭ୍ୟ ପ୍ରାର୍ଥୀ ମନ୍ମଥ ତ୍ରିପାଠୀ, ୱାର୍ଡ ସଭ୍ୟା ପ୍ରାର୍ଥୀନୀଙ୍କ ସ୍ୱାମୀ ନଣ୍ଡା ମହାରଣା ରାତିରେ ମୟୂରଝାଲିଆ ଗାଁରେ ମଦ ଟଙ୍କା ବାଣ୍ଟିବାକୁ ପହଞ୍ଚିଥିଲେ । ଏହି କାର୍ଯ୍ୟ ଆରମ୍ଭ ମଧ୍ୟ କରି ଦେଇଥିଲେ । ତେବେ ଏହି ସମୟରେ କିଛି ଗ୍ରାମବାସୀଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା ।
ଗ୍ରାମବାସୀ ସେମାନଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ନିକଟରୁ ୧୦ ଲିଟର ଦେଶୀ ଏବଂ ବିଦେଶୀ ମଦ ସହ ୨ଟି ବାଇକ ଜବତ କରିଛି । ଏହି ୩ଜଣ ପ୍ରାର୍ଥୀଙ୍କୁ ଥାନାରେ ଅଟକ ରଖି ଅଧିକ ପଚରା ଉଚରା କରୁଛି ପୋଲିସ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ