ନୟାଗଡ଼: ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଞ୍ଚାୟତ ରଥିପୁର-ମକରପ୍ରସାଦ ଗାଁ ରାସ୍ତାର ଅବସ୍ଥା ବେହାଲ ହୋଇପଡ଼ିଛି l ଏହି ୬ କିଲୋମିଟର ରାସ୍ତା ଆଦିବାସୀ ଅଧ୍ୟୁଷିତ ବଡ଼ସିଲିଙ୍ଗା ଓ ଘୁଗୁଡ଼ିପଡ଼ା ଗ୍ରାମ ପଞ୍ଚାୟତର ପ୍ରାୟ ୩୦ଟି ଗାଁ ଲୋକଙ୍କ ପାଇଁ ଗମନାଗମନର ମାଧ୍ୟମ l ଉକ୍ତ ରାସ୍ତାର ୪ କିଲୋମିଟର ଜଙ୍ଗଲ ବିଭାଗ ଅଧୀନରେ ଅଛି, ତେଣୁ ଉକ୍ତ ରାସ୍ତାକୁ ସବୁଦିନିଆ ରାସ୍ତାରେ ପରିଣତ ହୋଇ ପାରୁନାହିଁ l ରାସ୍ତା ଖାଲଖମା କାଦୁଅରେ ଭର୍ତ୍ତି ହୋଇଛି । ରାସ୍ତା ଦେଇ ଯିବା ଆସିବା କରିବା ସ୍ଥାନୀୟ ଲୋକଙ୍କ ପାଇଁ କଷ୍ଟ ସାଧ୍ୟ ହୋଇ ପଡ଼ିିଛି ।
ବିକାଶଠୁ ବହୁ ଦୂରରେ ଏହି ସବୁ ଅଞ୍ଚଳକୁ ସତେ ଯେମିତି ଭଗବାନ ଭରସା l ବିଗତ ଦିନରେ ଉକ୍ତ ରାସ୍ତାର ଉନ୍ନତି ପାଇଁ ଦୁଇଟି ପଞ୍ଚାୟତର ଅଧିବାସୀମାନେ ଟାକରାରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ l ପ୍ରଶାସନର ପ୍ରତିଶ୍ରୁତି ପରେ ରଥିପୁର ଗ୍ରାମବାସୀ ରାସ୍ତା ଅବରୋଧରୁ ହଟିଥିଲେ । ହେଲେ ଆଜି ଯାଏଁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଭଳି ରାସ୍ତାରେ ବିଭିନ୍ନ ସମୟରେ ସ୍ଥାନୀୟ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି ।
ଯାତାୟତ ପାଇଁ ସମସ୍ୟା ନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ କିଛି ଲାଭ ହେଉନାହିଁ । ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ରାସ୍ତାକୁ ନିୟମିତ ରାସ୍ତାରେ ପରିଣତ କରିବା ପାଇଁ ଦାବି କରି ଆସୁଛନ୍ତି ଗ୍ରାମବାସୀ l ପ୍ରଶାସନ କେବଳ ପ୍ରତିଶ୍ରୁତି ଦେଇ ରାସ୍ତା ନିର୍ମାଣ କରିବାକୁ ଭୁଲି ଯାଇଥିବା ଅଭିଯୋଗ ହୋଇଛି l ରାସ୍ତା ସମସ୍ୟା ଯୋଗୁଁ ଆମ୍ବୁଲାନ୍ସ କିମ୍ବା ଦମକଳ ଭଳି ଜରୁରୀକାଳୀନ ସେବା ଏହି ସବୁ ଅଞ୍ଚଳକୁ ସହଜରେ ପହଞ୍ଚି ପାରୁନାହିଁ । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଯଥାଶୀଘ୍ର ପଦକ୍ଷେପ ନେଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ