ନୟାଗଡ: ରାଜ୍ୟରେ ପରୀ ହତ୍ୟାକାଣ୍ଡକୁ ନେଇ ଉଠୁଛି ଅନେକ ପ୍ରଶ୍ନ । ଏହି ସମୟରେ ରାଜ୍ୟ ସରକାର ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି । ଗୁରୁବାର ଠାରୁ ନୟାଗଡରେ ପହଞ୍ଚି ପରୀ ହତ୍ୟାକାଣ୍ଡର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ l
ପରୀ ହତ୍ୟାକାରୀଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ନିୟୋଜିତ ହୋଇଛନ୍ତି l ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି l ଦୋଷୀଙ୍କ ପାଖରେ ପହଞ୍ଚିବା ପାଇଁ କ୍ରାଇମବ୍ରାଞ୍ଚ ଲାଗିପଡ଼ିଛି l କିନ୍ତୁ ଏହାରି ଭିତରେ କ୍ରାଇମବ୍ରାଞ୍ଚକୁ ନେଇ ପରୀଙ୍କ ମା' ସନ୍ଦେହ ପ୍ରକାଶ କରିଛନ୍ତି l ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,"କ୍ରାଇମବ୍ରାଞ୍ଚ ଆସି ତଦନ୍ତ କରୁଛି l ରାଜନୈତିକ ପ୍ରେସର ପଡିପାରେ l କଣ ହେଉଛି କିଛି କହି ହେବନି l ପରୀ ହତ୍ୟାକାରୀଙ୍କୁ ଧରିଲେ ଯାଇ ଆମେ ସନ୍ତୁଷ୍ଟ ହେବୁ l କ୍ରାଇମବ୍ରାଞ୍ଚ ଏମିତି କେତେ କେସ ନେଇଛି ଧରି ପାରୁନାହାନ୍ତି ବୋଲି ପରୀର ମା' ସୌଦାମିନୀ ସାହୁ କହିଛନ୍ତି l
ଗତକାଲି 7 ଜଣିଆ ଅନ୍ୟ ଏକ ଟିମ ତଦନ୍ତ କରି ଫେରିଛି l ପ୍ରଥମେ 3 ଜଣିଆ ଟିମ ଆସି ପରୀର ବାପା ଓ ମାଙ୍କୁ ପଚରା ଉଚରା କରିଥିଲେ l ଏଥିରେ ଏଡିଜି ଯଶବନ୍ତ ଜେଠୁଆ ନୟାଗଡ ଏସପିଙ୍କ ସହିତ ଘଟଣା ବିଷୟରେ ଆଲୋଚନା କରିଥିଲେ ଏବଂ ଯୋଗିଆପଲ୍ଲୀରେ ଥିବା ପରୀର ମା ଓ ବାପାଙ୍କୁ ପଚରାଉଚରା କରିଥିଲେ l ପରେ ଯଦୁପୁର ଆସି ଘଟଣାସ୍ଥଳ ବୁଲି ଘଟଣାର ଅନୁଧ୍ୟାନ ମଧ୍ୟ କରିଥିଲେ l କ୍ରାଇମବ୍ରାଞ୍ଚ ଯଦି ନିରପେକ୍ଷ ତଦନ୍ତ କରେ ତେବେ ଦୋଷୀଙ୍କୁ ତୁରନ୍ତ ଗିରଫ ହେବା ନେଇ ବିଶ୍ବାସ ଥିବା କହିଛନ୍ତି ପରୀଙ୍କ ବାପା ଅଶୋକ ସାହୁ l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ