ନୟାଗଡ଼: ଚାନ୍ଦପୁର ବସନ୍ତ ମଞ୍ଜରୀ ଦେବୀ ମେଡିକାଲରେ ପୁଣି ଦଲାଲ ସକ୍ରିୟ । ଦଲାଲଙ୍କ ମାଡ଼ରେ ଜଣେ ଆହତ । ଡାକ୍ତରଙ୍କୁ ଦେଖାହେବା ପାଇଁ ଯାଇଥିବା ସମୟରେ ଟଙ୍କା ମାଗିଥିଲେ ଦଲାଲ । ଟଙ୍କା ନଦେବାରୁ ଦଲାଲଙ୍କ ସଙ୍ଘବଦ୍ଧ ଆକ୍ରମଣ । ଚାନ୍ଦପୁର ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଦାବି ।
ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟର ଜନୈକ ଡାକ୍ତରଙ୍କ କ୍ବାର୍ଟର ସମ୍ମୁଖରେ ଘଟିଛି ଅଭାବନୀୟ ଘଟଣା । ମୀରାକଲ ପାଥଲୋଜିକାଲ ଡାଇଗ୍ନୋଷ୍ଟିକ ଟ୍ରଷ୍ଟର ସଦସ୍ୟଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ନେଇ ଚାନ୍ଦପୁର ଥାନାରେ ହୋଇଛି ଲିଖିତ ଅଭିଯୋଗ । ଟ୍ରଷ୍ଟର ସଦସ୍ୟ ମଣ୍ଟୁ ପ୍ରଧାନ ଚାନ୍ଦପୁର ଚିକିତ୍ସାଳୟ ପରିସରରେ ଥିବା ଜନୈକ ଡାକ୍ତରଙ୍କ କ୍ବାର୍ଟରକୁ ଦେଖା ହେବାପାଇଁ ଯାଇଥିଲେ । ସେ ସମୟରେ ଜଣେ ଦଲାଲ ତାଙ୍କୁ ଟଙ୍କା ମାଗିଥିଲେ । ଏନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏହାପରେ ମଣ୍ଟୁଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ମିରାକଲ ପାଥଲୋଜିକାଲ ଡାଇଗ୍ନୋଷ୍ଟିକ ଟ୍ରଷ୍ଟ ପକ୍ଷରୁ ଚାନ୍ଦପୁର ଥାନାରେ ଏତଲା ଦିଆଯିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ଏହାସହ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ପରିସରକୁ ଦଲାଲ ମୁକ୍ତ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ତେବେ ବହୁ ସମୟରେ ବସନ୍ତ ମଞ୍ଜରୀ ହସ୍ପିଟାଲରେ ଦଲାଲ ଏଭଳି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇ ଆସିଛି । ତଥାପି ଏହାର ସ୍ଥାୟୀ ପ୍ରତିକାର ହୋଇପାରିନାହିଁ । ଏ ଦିଗରେ ପ୍ରଶାସନ ଧ୍ୟାନ ଦେବାକୁ ଦାବି ସାଧାରଣରେ ଦାବି ହୋଇଛି ।
ଇଟିଭି ଭାରତ, ନୟାଗଡ଼