ନୟାଗଡ଼: ବିବାହ ଭୋଜି ଖାଇ 25 ଜଣ ଗୁରୁତର ହୋଇଥିବା ବେଳେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଶୁକ୍ରବାର ରାତିରେ ଜିଲ୍ଲାର ଓଡ଼ଗାଁ ବ୍ଲକ ରବିଗାଡ଼ିଆ ଗ୍ରାମପଞ୍ଚାୟତ କୁରୁମବାଙ୍କତରା ଗାଁରେ ଘଟିଛି ଏହି ଅଘଟଣ ।
କୁରୁମବାଙ୍କତରା ଗ୍ରାମ ଆଡୁଆ ସାହିରେ ଭୋଜି ଖାଇ ୨୫ରୁ ଊର୍ଦ୍ଧ୍ବ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ରାଧା ବାରିକଙ୍କ 55 ବର୍ଷୀୟା ପତ୍ନୀ ମାଟିଆଣୀ ବାରିକ । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସଧୀନ ଅବସ୍ଥାରେ ଉକ୍ତ ମହିଳାଙ୍କ ମୃତ୍ୟୁ ଘଟିଛି । ଆକ୍ରାନ୍ତମାନଙ୍କୁ ସ୍ଥାନୀୟ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ସହ ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ଭୋଜି କିଭଳି ବିଷାକ୍ତ ହେଲା ସେ ନେଇ କୌଣସି ସୂଚନା ମିଳିପାରି ନାହିଁ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ