ନୟାଗଡ଼: ଠେଙ୍ଗା ମାଡ଼ରେ ମୃତ୍ୟୁ ବରଣ କରିଥିବା ବୃଦ୍ଧାଙ୍କ ପରିବାର ଉପରକୁ ପୁଣି ଆକ୍ରମଣ ଅଭିଯୋଗ । ସୂଚନାମୁତାବକ, ଗତ ୧୦ ତାରିଖ ବୁଧବାର ଦିନ ନୟାଗଡ଼ ବାହାଡାଝୋଲା ଫାଣ୍ଡି ଅନ୍ତର୍ଗତ ବଧୁଲିପୁର ଗ୍ରାମର ୬୫ ବର୍ଷୀୟା ବୃଦ୍ଧା ଅଇଁଠା ବେହେରାଙ୍କୁ ଟଙ୍କା ନେଣଦେଣକୁ କେନ୍ଦ୍ରକରି ସେହି ଗ୍ରାମର ଝୁନୁ ବେହେରାଙ୍କ ପରିବାର ଲୋକେ ଠେଙ୍ଗାରେ ବାଡେଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା l ଓଡ଼ଗାଁ ଆଦର୍ଶ ଥାନାରେ ମୃତ ବୃଦ୍ଧା ଅଇଁଠା ବେହେରାଙ୍କ ସ୍ଵାମୀ ଅର୍ଜୁନ ବେହେରାଙ୍କ ଲିଖିତ ଅଭିଯୋଗ କ୍ରମେ ପୋଲିସ କେଶ ନଂ ୨୬/୨୧ ରେ ଦଫା ୩୦୨, ୩୦୬, ୩୪ ଆଇ.ପି.ସି ଧାରାରେ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି l ହେଲେ ହତ୍ୟାକାରୀଙ୍କୁ ପୋଲିସ ଗିରଫ କରିବାରେ ବିଳମ୍ବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି l
ଏପଟେ ଝୁନୁ ବେହେରା ପରିବାର ପକ୍ଷରୁ ତାଙ୍କ ଜ୍ବାଇଁ ରମେଶ ଗୌଡ଼ ମୃତ ଅଇଁଠା ବେହେରା ପରିବାର ଉପରେ ପୁଣି ଆକ୍ରମଣ କରିବାକୁ ନେଇ ଅଇଁଠା ବେହେରାଙ୍କ ପରିବାର ଲୋକ ଓ ଗ୍ରାମର କିଛି ଲୋକ ବାହାଡ଼ାଝୋଲା ଫାଣ୍ଡିରେ ପହଞ୍ଚି ଅଭିଯୋଗ କରିବା ସହ ହୋହାଲ୍ଲା କରିଥିଲେ l
ପରିବାର ଲୋକଙ୍କ ଲିଖିତ ଅଭିଯୋଗ କ୍ରମେ ଝୁନୁ ବେହେରାଙ୍କ ଜ୍ବାଇଁ ରମେଶ ଗୌଡ଼ଙ୍କୁ ପୋଲିସ ଉଠାଇ ଆଣିଥିଲା। ଯାହାଫଳରେ ଉତ୍ତେଜନା ହ୍ରାସ ପାଇଥିଲା l ତେବେ ଏନେଇ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ହୋଇଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ