ଭୁବନେଶ୍ବର: ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବା ସହ ଅମାନିଆ ଗାଡି ଚାଳକଙ୍କୁ ସାବାଡ୍ କରିବା ପାଇଁ ଫାଇନ୍ଠୁ ଆରମ୍ଭ କରି ଗିରଫ ମଧ୍ୟ କରୁଛନ୍ତି । ସେହିପରି ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ମଧ୍ୟ ପ୍ରଣୟନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ନୟାଗଡ ନୋଟାର ଆଦର୍ଶ ବିଦ୍ୟାଳୟ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ।
ତେବେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅନଲାଇନ ଜରିଆରେ ଲୋକଙ୍କୁ ସଡକ ସୁରକ୍ଷା ନିୟମ ଶିଖାଇ ଅନଲାଇନ ଆଇଡିଆ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ହାସଲ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟାଳୟକୁ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସିତ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସଚେତନତାମୂଳକ ବାର୍ତ୍ତା ଅନେକ ଜୀବନ ରକ୍ଷା କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି କେନ୍ଦ୍ର ପରିବହନ ଓ ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ । ନିଜ ଟ୍ବିଟରେ ମନ୍ତ୍ରୀ କହିଛନ୍ତି ଯେ, "ମୁଁ ଜାଣିନାହିଁ କେଉଁ ପିଲାମାନେ ଏହି ଭିଡିଓ ତିଆରି କରିଛନ୍ତି । କିନ୍ତୁ ଏହି ଭିଡିଓ ଲୋକଙ୍କୁ ସଡକ ସୁରକ୍ଷା ବାର୍ତ୍ତା ଦେବାରେ ସହାୟକ ହେବ । ଏହା ବହୁତ ମଜାଦାର, ଆମ ସମସ୍ତଙ୍କୁ ଏହି ଭିଡିଓ ଥରେ ଦେଖିବା ଉଚିତ୍ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ