ନୟାଗଡ଼: ଗାଈ ଗୋରୁଙ୍କ ହୋଇପାରୁନି ଉପଯୁକ୍ତ ଚିକିତ୍ସା କି ମିଳୁନି ଟିକା । ଗୋରୁଗାଈ କୌଣସି ରୋଗରେ ପଡ଼ିଲେ ଉପଯୁକ୍ତ ଚିକିତ୍ସା ମିଳିପାରୁନି l ଏହାକୁ ନେଇ ନୟାଗଡ଼ ଜିଲ୍ଲାରେ ଗୋଚାଷୀମାନେ ଏବେ ଚିନ୍ତାରେ l ରଣପୁର ବ୍ଲକର ବିଭିନ୍ନ ସ୍ଥାନରେ ପଶୁ ଉପ ସ୍ବାସ୍ଥ୍ୟକେନ୍ଦ୍ର ଥିଲେ ବି ସେଗୁଡିକରେ ତାଲା ଝୁଲୁଛି l ବିଭିନ୍ନ ସମସ୍ୟା କାରଣରୁ ଗୋପାଳନ ରୁ ବିମୁଖ ହେଉଛନ୍ତି ଗୋ ଚାଷୀ l
ସରକାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୃଢ କରିବା ପାଇଁ ପଶୁପାଳନକୁ ଗୁରୁତ୍ତ୍ବ ଦେଉଥିବା ବେଳେ ଗାଁ ଗହଳିରେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ପାହାଡିଆ ଅଞ୍ଚଳ ରଣପୁର ବ୍ଲକରେ ଅଧିକାଂଶ ଲୋକେ କୃଷି ଏବଂ ପଶୁପାଳନ ଉପରେ ନିର୍ଭର କରନ୍ତି । ହେଲେ ଅନେକ ଗାଈଗୋରୁ ବିଭିନ୍ନ ପ୍ରକାରର ରୋଗରେ ପଡି ଅକାଳରେ ମୃତ୍ୟୁ ବରଣ କରୁଛନ୍ତି l ଆବଶ୍ୟକ ପରିମାଣର ଔଷଧ ମିଳୁନଥିବା ବେଳେ ଉପଯୁକ୍ତ ଚିକିତ୍ସା ପ୍ରଦାନ ଦିଆଯାଉ ନାହିଁ ।
ଯାହାଫଳରେ ବିଭିନ୍ନ ରୋଗରେ ପଡି ଗାଈ ଗୋରୁ ପ୍ରାଣ ହରାଉଥିବା ଗୋ ଚାଷୀ କହିଛନ୍ତି l ପଶୁସମ୍ପଦ ବିଭାଗର ଉଦାସୀନତା ଯୋଗୁଁ ପଶୁପାଳନକୁ ଜୀବନ ଜୀବିକାର ସାଧନ କରିଥିବା ଚାଷୀ ନିରାଶ ହେଉଛନ୍ତି । କେହି କେହି ଗୋପାଳନରୁ ମୁହଁ ଫେରାଉଥିବା ବି ଦେଖିବାକୁ ମିଳୁଛି । ସରକାର ଏ ଦିଗରେ ଦୃଷ୍ଟି ଦେଇ ଗୋଚାଷୀଙ୍କୁ ପ୍ରୋତ୍ସାହନ ଦେବାକୁ ଦାବି ହୋଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ