ନୟାଗଡ଼ : ବିଭିନ୍ନ ଯୋଜନା ପ୍ରକଳ୍ପ ପରେ ବି ବାରମ୍ବାର ଦୋହରାଯାଉଛି ସମସ୍ୟାର ଲମ୍ବା ଲିଷ୍ଟ । ବିକାଶର ପ୍ରଥମ ପାହାଚ ରାସ୍ତା ଯେଉଁଠି ଶୋଚନୀୟ ସେ ଗାଁ ବି କିପରି ଆଗକୁ ବଢିବ । ଏଭଳି ସଙ୍କଟଜନକ ସ୍ଥିତିରେ ବିପର୍ଯ୍ୟସ୍ତ ଭାବେ ରହିଛି ନୟାଗଡ଼ର ରଣପୁର ବ୍ଲକ ସୁରୁକାବାଡ଼ି ପଞ୍ଚାୟତର ସିନ୍ଦୁରିଆ ଗାଁ । ଏଠାକାର ବାସ୍ତବ ବିକାଶର ଆଇନାରେ ଦେଖିବାକୁ ମିଳିଛି ସମସ୍ୟା ପାହାଡ ।
କାଦୁଅ ପଚ ପଚ ରାସ୍ତା । ଠାଏ ଠାଏ ବର୍ଷା ପାଣି ଜମା । ବାଇକ ତ ଦୂର ଚାଲିକି ଯିବା ବି କଷ୍ଟକର । ସେପଟେ ଗାଁ ଭିତରେ ଆଖି ଜୁଆଡେ ଯାଉଛି କେବଳ ନୁଆନିଆଣି ଚାଳ ଘର । କୋଉଠି ବି ଦେଖିବାକୁ ମିଳୁନି ଗୋଟିଏ ପକ୍କା ଘର । ମନେ ହୁଏ ସରକାରଙ୍କ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ଏଠାକାର ବାଟ ଭୁଲିଯାଇଛି । ଏହି ଅବହେଳିତ ପାହାଡ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ବାସ କରନ୍ତି 100ରୁ ଉର୍ଦ୍ଧ୍ବ ଲୋକ । ହେଲେ ଏମାନଙ୍କ କଷ୍ଟ ଯେପରି ଏଇ ଘଞ୍ଚ ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଯାଇଛି । ଏ ସମସ୍ୟା ଯେପରି ଆଉ ସୁଧୁରିବନି, ତାହା ମଧ୍ୟ ଏଠାକାର ଲୋକଙ୍କ କଥାରୁ ବାରି ହୋଇଯାଉଛି । ପକ୍କା ଘର ନେଇ ଆମେ ପଚାରିବାରୁ ଜଣେ ବୃଦ୍ଧା ଆଶାହରା ହୋଇ କହିଥିଲେ କି, ସରପଞ୍ଚ ବାରମ୍ବାର ଲେଖି ନେଉଥିଲେ ବି ଆଜି ଯାଏଁ କିଛି କରାଯାଇନି ।
ଖରାପ ରାସ୍ତା ଯୋଗୁଁ ଗାଁକୁ ନା ଆମ୍ବୁଲାନ୍ସ ନା ଦମକଳ ଗାଡି ଆସୁଛି । ଯେଉଁଥିପାଇଁ ରୋଗୀ କିମ୍ବା ଗର୍ଭବତୀ କେବେ ଖଟିଆରେ ତ ପୁଣି କେବେ ଭାରରେ ବୁହା ହେଉଛନ୍ତି । ସେପଟେ ଗାଁରେ ପିଲାମାନେ ମଧ୍ୟ ଏଭଳି ସମସ୍ୟା ଘେରରେ ରହି ସ୍କୁଲ ଯିବାକୁ ମଙ୍ଗୁନାହାନ୍ତି । ଚାଷ ଉପରେ ନିର୍ଭରଶୀଳ ଏହି ଗାଁର ଲୋକମାନେ ଏବେ ଏସବୁ ଯନ୍ତ୍ରଣାକୁ ଆଦରି ଜୀଉଁଛନ୍ତି ।
ଯଦି ସେମାନଙ୍କୁ ଏଇ ସାମାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯିବ ତେବେ ଗ୍ରାମବାସୀ ଉପକୃତ ହେବେ ବୋଲି କହିଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ