ନୟାଗଡ: କରଜ ଟଙ୍କା ନ ସୁଝିବାରୁ ତାଡି ନେଲେ ଆଖି । ମାତ୍ର 20 ହଜାର ଟଙ୍କା ପାଇଁ ନିଜ ଜ୍ବାଇଁର ଆଖିକୁ ନଷ୍ଟ କରିଦେଲେ ଦାଦା ଶ୍ବଶୂର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ସଦର ଥାନା ଅନ୍ତର୍ଗତ ସଜନାପଡା ଗାଁରେ ।
ନୟାଗଡ ସଦରଥାନା ଅନ୍ତର୍ଗତ ସଜନାପଡା ଗାଁର ରାଘବ ରାଉତରାୟଙ୍କ ପୁଅ ପ୍ରମୋଦ ରାଉତରାୟ ଷଠିଆପଲ୍ଲୀ ଗାଁରେ ବିବାହ କରିଥିଲେ । ପ୍ରମୋଦ ଅସୁବିଧା ସମୟରେ ତାଙ୍କ ଦାଦା ଶ୍ବଶୂରଙ୍କ ଠାରୁ କିଛି ଟଙ୍କା ଧାର ଆଣିଥିଲେ । ସୁଧ ମୂଳ ଫେରାଇବାକୁ ଜବାବ ଦେଇଥିଲେ । ହେଲେ ସଠିକ ସମୟରେ ଧାର ଟଙ୍କା ନ ଫେରାଇବାରୁ ପ୍ରମୋଦଙ୍କ ଜଣେ ଶଳା ତାଙ୍କୁ ଯୋଜନାବଦ୍ଧ ଭାବେ ଷଠିଆପଲ୍ଲୀ ଗାଁକୁ ଡାକି ନେଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସାରୁ ସୁଧ ଦେଇଥିବା ମହାଜନ(ଦାଦା ଶଶ୍ବର) ସେଠାରେ କିଛି ବ୍ୟକ୍ତିଙ୍କୁ ଲଗାଇ ତାଙ୍କ ଆଖି ତାଡ଼ି ଦେଇଥିଲେ । ଏହା ସହ ପ୍ରମୋଦଙ୍କ ସ୍ତ୍ରୀଙ୍କୁ ମାଡ ମାରିବା ସହ ତାଙ୍କ ସୁନା କାନଫୁଲ ଛଡେଇ ନେଇଥିବା ନୟାଗଡ଼ ସଦର ଥାନାରେ ଅଭିଯୋଗ ହୋଇଛି।
ଗତକାଲି ବିଳମ୍ବିତ ରାତିରେ ପ୍ରମୋଦଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ