ନୟାଗଡ଼: ଏକାଠି ହେଲେ ଜିଲ୍ଲାର ୮ଟି ବ୍ଳକରେ ଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ । ବିଭିନ୍ନ ଦାବି ନେଇ କଲେ ଆଲୋଚନା । ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ଓଡ଼ିଶା ଗ୍ରାମପଞ୍ଚାୟତ କର୍ମଚାରୀ ସଙ୍ଘ । ନୟାଗଡ଼ ଜିଲ୍ଲା ୮ଟି ବ୍ଳକରେ ଥିବା ୧୯୪ଟି ଗ୍ରାମ ପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କର ଖଣ୍ଡପଡ଼ା ନିକଟ ଖଳିସାହି ତୋଟା ହନୁମାନଙ୍କ ପରିସରରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ଓଡ଼ିଶାର ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ ଘୋଷଣା କରିଛନ୍ତି । ମାତ୍ର ବହୁଦିନରୁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟ କରି ଆସୁଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଏଥିରୁ ବଞ୍ଚିତ କରିବା ନେଇ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ସକାଳ ୧୦ ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପଞ୍ଚାୟତର ବିଭିନ୍ନ କାମ କରି ଆସୁଥିବାବେଳେ ସେମାନଙ୍କୁ ସ୍ବଳ୍ପ ଦରମା ମିଳୁଥିବା ଅଭିଯୋଗ ହୋଇଛି ।
ତେବେ ଆଜିର ବୈଠକରେ ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା ସହ ସମାନ କାମକୁ ସମାନ ଦରମା, ଶ୍ରମ ଓ ନିୟୋଜନ ବିଭାଗ ଦ୍ବାରା ଘୋଷଣା ଅନୁଯାୟୀ ଦୈନିକ ସର୍ବନିମ୍ନ ମଜୁରୀ, ରାଜ୍ୟ ବଜେଟରୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ବଜେଟ ବ୍ୟବସ୍ଥା କରିବା ଆଦି ଗୁରୁତ୍ବପୂର୍ଣ୍ଣ ବଷୟରେ ଆଲୋଚନା କରାଯାଇଛି । ଯଦି ରାଜ୍ୟ ସରକାର ଏହି ସବୁ ଦାବି ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ଓଡ଼ିଶା ଗ୍ରାମପଞ୍ଚାୟତ କର୍ମଚାରୀ ସଙ୍ଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର