ନୟାଗଡ଼: ଆଦିବାସୀ ଅଞ୍ଚଳରେ ରାସ୍ତା ନିର୍ମାଣ ତ୍ବରିତ ତଥା ସମ୍ପ୍ରସାରଣ ପାଇଁ ବିଧାନସଭାରେ ଉଠିଲା ଦାବି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ, ଦଶପଲ୍ଲା ଓ ଗଣିଆ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଗ୍ରାମ ପଞ୍ଚାୟତ ଗୁଡିକରେ ଅଧିକ ସଂଖ୍ୟକ ରାସ୍ତା ନିର୍ମାଣ କରିବାକୁ ଦଶପଲ୍ଲା ବିଧାୟକ ରମେଶ ବେହେରା ବିଧାନସଭାରେ ଦାବି କରିଛନ୍ତି ।
ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଶେଷ କରି ପାହାଡ଼ି ଅଞ୍ଚଳ ହୋଇଥିବାରୁ ଏହି ସବୁ ଅଞ୍ଚଳକୁ ଫୋକସରେ ନେବାକୁ ଦାବି କରିଛନ୍ତି ବିଧାୟକ । ରାସ୍ତା ନିର୍ମାଣ କରାଯାଇ ବ୍ଲକ ତଥା ଜିଲ୍ଲା ହେଡ଼ କ୍ବାର୍ଟର ସହ ଗାଁକୁ ସଂଯୋଗ କରାଗଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ହେବା ସହ ସେମାନେ ଯୋଗାଯୋଗ କ୍ଷେତ୍ରରେ ଅଗ୍ରସର ହେବେ । ଯଦିଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଛି ତାହା ଆବଶ୍ୟକ ଅନୁସାରେ ହୋଇପାରୁନି । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରି କିମ୍ବା ସ୍ବତନ୍ତ୍ର ଅନୁଦାନ ଦେଇ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାପାଇଁ ବିଧାନସଭାରେ ଦାବି ରଖିଛନ୍ତି ଦଶପଲ୍ଲା ବିଧାୟକ ରମେଶ ବେହେରା ।
ଇଟିଭି ଭାରତ, ନୟାଗଡ଼