ନୟାଗଡ଼ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ । ବିଜେଡ଼ି, ବିଜେପି ଏବଂ କଂଗ୍ରେସ ଦଳର ପ୍ରାର୍ଥୀମାନେ ଆସନ ଅକ୍ତିଆର କରିବା ଲକ୍ଷ୍ୟରେ ଚଳାଇଛନ୍ତି ଜୋରଦାର କସରତ । ଅସଲ ଲଢେଇ ବିଜେଡ଼ି ଏବଂ ବିଜେପି ମଧ୍ୟରେ ହିଁ ହେବ ।
ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ରହିଛି 6 ଟି ଜିଲ୍ଲା ପରିଷଦ ଜୋନ l ଗଣିଆ, ଦଶପଲ୍ଲା ଏବଂ ନୂଆଗାଁ ବ୍ଲକକୁ ନେଇ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଠିତ । 2017 ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନର ସମସ୍ତ ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିଥିଲା ବିଜେଡ଼ି । କେବଳ ଜିଲ୍ଲା ପରିଷଦ ନୁହେଁ ।
ସମିତି ସଭ୍ୟ ଏବଂ ସରପଞ୍ଚ ପଦବୀ ପାଇଁ ବିଜେଡ଼ି ପରୋକ୍ଷ ସମର୍ଥନ ଜଣାଇ ମଧ୍ୟ ସଫଳତା ହାସଲ କରିଥିଲା । ତ୍ରିସ୍ତରୀୟ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ବିଜେପି ଏବଂ ତୃତୀୟ ସ୍ଥାନରେ କଂଗ୍ରେସ ରହିଥିଲା । ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଚଳିତ ଥର ସମ୍ମାନ ବଞ୍ଚାଇବା ପାଇଁ ଲଢେଇ କରୁଛନ୍ତି ବିଜେପି ଏବଂ କଂଗ୍ରେସ ।
ଦଶପଲ୍ଲାରେ କଂଗ୍ରେସ ସ୍ଥିତି ନୈରାଶ୍ୟ ଜନକ ଥିବାବେଳେ କେତେଟି ଜୋନରେ ବଳ ଜୁଟାଉଛି କଂଗ୍ରେସ । ଉଭୟ ବିଜେପି ଅନେକ ଏବଂ ବିଜେଡ଼ି ଦଳ ବିଫଳତାକୁ ନେଇ କଂଗ୍ରେସ ଲୋକଙ୍କ ପାଖରେ ପହଞ୍ଚୁଛି । ଜୋନ ନଂ ୮ ଏବଂ ୯ରେ କଂଗ୍ରେସ ଭଲ କରିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ କରୁଛି l
ଏପରିକି ବିଜୟୀ ହେବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କଂଗ୍ରେସ ନେତୃବୃନ୍ଦ । ତେବେ ବିଜେଡ଼ି ନିଜ ଗଡ଼କୁ ନିଜ ହାତରେ ରଖିବାକୁ ଉଦ୍ୟମ କରୁଥିବା ବେଳେ ଏହାକୁ ମାତ ଦେବାକୁ ବିଜେପି ରହିଛି । ପଞ୍ଚାୟତ ନିର୍ବାଚନରେ କିଏ ବାଜିମାତ କରୁଛି ତାହା ଦେଖିବାକୁ ବାକି ରହିଲା l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ