ନୟାଗଡ଼: ଗୃହରୁ ଠିକାଦାରଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା । ଦଶପଲ୍ଲା ଥାନା ସାମ୍ନାରେ ଧାରଣାରେ ବସିଲେ ଗ୍ରାମବାସୀ । ଏନେଇ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ ।
ବୁଧବାର ଦଶପଲ୍ଲା NACର ନବ ନିର୍ମାଣାଧୀନ ଗୃହରୁ ଡିହଗାଁ ଗ୍ରାମର ଠିକାଦାର ଚିତ୍ତରଞ୍ଜନ ପାତ୍ର ଓରଫ ବୁଦ୍ଧିଆଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଦଶପଲ୍ଲା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଏପଟେ ଠିକାଦାରଙ୍କ ପରିବାର ଲୋକ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କରିବା ସହ ଥାନା ସାମ୍ନାରେ ଗ୍ରାମବାସୀ ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଉପରେ ଧାରଣାରେ ବସିଛନ୍ତି ।
ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ । ମୃତ ଚିତରଞ୍ଜନ ଏବଂ ତାଙ୍କର ଜଣେ ସହଯୋଗୀ NACରେ ସାଙ୍ଗ ହୋଇ କାମ କରୁଥିଲେ । ବୁଧବାର ହଠାତ ତାଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା ଗ୍ରାମବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଏପଟେ ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ