ନୟାଗଡ଼: କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ କୃଷକ ମୋର୍ଚ୍ଚାର ଆହ୍ବାନ କ୍ରମେ ୨୮ ରୁ ୨୯ ଦୁଇ ଦିନିଆ ଦେଶ ବ୍ୟାପୀ ୪୮ଘଣ୍ଟିଆ ସାଧାରଣ ଧର୍ମଘଟକୁ ନୟାଗଡ଼ ଜିଲ୍ଲା ରଣପୁରରେ ବିପୁଳ ସମର୍ଥନ ମିଳିଛି । ଏହି ପରିପ୍ରେକ୍ଷୀରେ ସିଆଇଟିୟୁ, ଏଆଇଟିୟୁସି, ଆଇଏନଟିୟୁସି ଓ କୃଷକ ସଭା ନେତୃତ୍ୱରେ ଅଶା କର୍ମୀ, ଅଙ୍ଗନବାଡି କର୍ମୀ, ମଧ୍ୟାହ୍ନ ଭୋଜନରେ କାର୍ଯ୍ୟରତ କର୍ମୀ, ଅଙ୍ଗନ ବାଡି ସହାୟିକା, ନିର୍ମାଣ ଶ୍ରମିକ, କାଜୁ ଚାଷୀ ଏକାଠି ହୋଇ ରଣପୁର ପଞ୍ଚୁଦୋଳ ପଡିଆ ଠାରେ ସକାଳ ୭ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି କେନ୍ଦ୍ର ସରକାରଙ୍କ ଦେଶ ବିରୋଧୀ, ଜନବିରୋଧୀ ନୀତି ବିରୁଦ୍ଧରେ ନାରାବାଜି ଦେଇଥିଲେ ।
ଏହି ସମୟରେ ରାସ୍ତାର ଦୁଇ ପାର୍ଶ୍ଵରେ ଗାଡି ଅଟକି ରହି ଥିବାବେଳେ ପ୍ରତ୍ୟେକ ସରକାରୀ ଅଫିସି ଓ ବ୍ୟାଙ୍କ ଆଦି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଶ୍ରମିକ ନେତା ସାଥୀ ସୁରେଶ ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବକ୍ତାମାନେ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତିର ତୀବ୍ର ନିନ୍ଦା କରିଥିଲେ । ଦରଦାମ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ବୋଲି ବକ୍ତାମାନେ କାହିଥିଲେ ।
କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ତୁରନ୍ତ ଶ୍ରମିକ ବିରୋଧୀ ୪ଟି ଶ୍ରମକୋଡ଼ ବାତିଲ, ଚାଷୀ ଫସଲର ସହାୟକ ମୂଲ୍ୟ, ଆକାଶ ଛୁଆଁ ଦର ବୃଦ୍ଧି ବନ୍ଦ, ଆଶାକର୍ମୀ-ଅଙ୍ଗନବାଡି-ପାଚିକା ଭଳି ସ୍କିମ ଶ୍ରମିକଙ୍କୁ ସ୍ଥାୟୀ ମାନ୍ୟତା ଓ ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା, ସମସ୍ତଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଖାଦ୍ୟ ତୁରନ୍ତ ଯୋଗାଇ ଦେବା ପାଇଁ ଦାବି କରିଥିଲେ ।
ନଚେତ ସରକାରଙ୍କ ବିରୋଧରେ ତୀବ୍ର ଆନ୍ଦୋଳନ ହେବ ବୋଲି ବକ୍ତାମାନେ ଚେତାବନୀ ଦେଇଥିଲେ । ଜନସପକ୍ଷବାଦୀ ଏହି ଧର୍ମଘଟକୁ ୪୮ ଘଣ୍ଟା ପାଇଁ ଚଳାଇ ରଖିବାକୁ ସଂଗଠନ ତରଫରୁ ନିବେଦନ କରିଥିଲେ । ପରିଶେଷରେ ଆନ୍ଦୋଳନକାରୀ ଏକ ଶୋଭାଯାତ୍ରରେ ବାହାରି ବଜାର ପରିକ୍ରମା କରିବା ସହ ବିଭିନ୍ନ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିଥିଲେ । ଧର୍ମଘଟକୁ ସଫଳ କରିଥିବାରୁ ରଣପୁରବାସୀଙ୍କୁ ଆନ୍ଦୋଳନକାରୀ ଧନ୍ୟବାଦ ଜଣାଇଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ