କଟକ: ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଉକ୍ତ ଘଟଣାରେ ନୟାଗଡ଼ ସଦର ଆଇଆଇସି ରିନାରାଣୀ ସାହୁଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ନୟାଗଡ଼ ଏସଡିପିଓ ନିରଞ୍ଜନ ପାଢ଼ୀଙ୍କୁ ମଧ୍ୟ ବଦଳି କରାଯାଇଛି । ତାଙ୍କୁ ଦାୟିତ୍ବରୁ ହଟାଯାଇ କନ୍ଧମାଳ ଡ଼ିଏସପି ଭାବରେ ଦାୟିତ୍ବ ଦିଆଯାଇଛି । ଉଭୟଙ୍କ ଉପରେ ନିଆଯାଇଥିବା କାର୍ଯ୍ଯାନୁଷ୍ଠାନ ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ପରୀ ମା’ଙ୍କୁ ଆଇଆଇସି ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ପରୀର ମା ନିଜେ IIC ଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପରୀ ହତ୍ୟା ଘଟଣାରେ ନୟାଗଡ ପୋଲିସର କାର୍ଯ୍ୟକଳାପ ନେଇ ଉଭୟ ଚର୍ଚ୍ଚାରେ ରହିଥିଲେ । ହତ୍ୟାକାଣ୍ଡର ତଦନ୍ତରେ ନୟାଗ଼ଡ ପୋଲିସ ଠିକ ପଦକ୍ଷପ ନେଇନଥିବା ଭଳି ଗୁରୁତର ଅଭିଯୋଗ ହୋଇଥିଲା ।
ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରିବା ସହ ପରୀର ମାଆଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ବର ଆସି ଶୀତ ଅଧିବେସନ ଚାଲିଥିବା ବେଳେ ବିଧାନସଭା ସମ୍ମୁଖରେ ଆତ୍ମହୁତି ଦେବା ପାଇଁ ଉଦ୍ୟମ କରିଥିଲେ । ପରୀର ବାପା ମା ତାଙ୍କ ଝିଅର ହତ୍ୟା ନେଇ ସିଧାସଳଖ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ । ପରେ ଘଟଣା ଚର୍ଚ୍ଚାକୁ ଆସିବା ସହ ବିଭିନ୍ନ ମହଲରୁ ଚାପ ମଧ୍ୟ ବଢିଥିଲା । ଏବେ ସରକାରଙ୍କ ପକ୍ଷରୁ ଉକ୍ତ ଘଟଣାରେ ଏସେଆଇଟି ତଦନ୍ତ କରାଯାଉଛି ।
ତେବେ ଏହି ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ଆସୁଛି ବିଜେପ । ଏନେଇ ଦଳ ପକ୍ଷରୁ ନୟାଗଡରେ ସତ୍ୟାଗ୍ରହ ମଧ୍ୟ ଜାରି ରଖିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା ଓ କଟକରୁ ନାରାୟଣ ସାହୁ, ଇଟିଭି ଭାରତ