ନୟାଗଡ଼: ଯୁବତୀଙ୍କ ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୫ ହଜାର ଟଙ୍କାର ଜୋରିମାନା । ଏହା ସହିତ ପୀଡିତାଙ୍କୁ ମିଳିବ ୪ ଲକ୍ଷ ଟଙ୍କାର କ୍ଷତିପୂରଣ । ଏମିତି ରାୟ ଶୁଣାଇଛନ୍ତି ନୟାଗଡ଼ ଫାଷ୍ଟଟ୍ରାକ କୋର୍ଟ । ଦଣ୍ଡାଦେଶ ପାଇଥିବା ଆସାମୀ ହେଉଛି ଶରଣକୁଳ ଥାନା ନୂଆଗାଁ ଲଡ଼ୁକେଶ୍ବରପୁର ଗାଁର ମୁରଲୀ ନାୟକଙ୍କ ୨୨ ବର୍ଷୀୟ ପୁଅ କାହ୍ନୁ ନାୟକ ।
ଗତ ୨୦୧୬ ମସିହାରେ ଲଡ଼ୁକେଶ୍ବରପୁର ଅଞ୍ଚଳର ଜଣେ ଯୁବତୀ କାହ୍ନୁ ନାୟକ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଶରଣକୂଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ, ପୀଡିତା ନିଜ ଘରେ ଶୋଇଥିବା ସମୟରେ ଘରେ ପଶି ବଳପୂର୍ବକ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ କାହ୍ନୁ । ଏନେଇ ଅଭିଯୋଗ ହୋଇଥିଲା ଶରଣକୂଳ ଥାନାରେ । ପୋଲିସ ଏହାର ତଦନ୍ତ କରି କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା ।
ଏହି ମାମଲା ନୟାଗଡ଼ ମହିଳା କୋର୍ଟରେ ବିଚାରଧୀନ ଥିଲା । ଏହାର ସ୍ବତନ୍ତ୍ର ତ୍ବରିତ ଶୁଣାଣି ପାଇଁ ନୟାଗଡ଼ ଫାଷ୍ଟଟ୍ରାକ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ନୟାଗଡ଼ ଫାଷ୍ଟଟ୍ରାକ କୋର୍ଟରେ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ଏହା ସହିତ ଦୁଷ୍କର୍ମକାରୀକୁ ୨୫ ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶ ମଧ୍ୟ ହୋଇଛି । ସେହିଭଳି ପୀଡିତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାପାଇଁ ଜିଲ୍ଲା ଆଇନ ପ୍ରାଧିକରଣ ସେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଫାଷ୍ଟଟ୍ରାକ କୋର୍ଟର ସ୍ବତନ୍ତ୍ର ବିଚାରପତି ବିରଞ୍ଚି କୁମାର ରଥ ୨ ପକ୍ଷ ଓକିଲଙ୍କ ଯୁକ୍ତି ଏବଂ ସାକ୍ଷୀଙ୍କ ଆଧାରରେ ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି ।
ଇଟିଭି ଭାରତ, ନୟାଗଡ଼