ନବରଙ୍ଗପୁର: ଏବେ ବି ସମାଜରୁ ଦୂର ହୋଇନି ଅନ୍ଧବିଶ୍ବାସ । ଦିନକୁ ଦିନ ଅନ୍ଧବିଶ୍ବାସ ଜାଲରେ ପଡୁଛି ମଣିଷ ଜାତି । ଆଦିବାସୀ ଅଧ୍ୟୁସିତ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦି ପଞ୍ଚାୟତ ସୀମାନ୍ତ ଡୁମରସିଲ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗୁଣିଆର ଗୁପ୍ତଧନ ସନ୍ଦେଶରେ ଭରସା କରି ବୃଦ୍ଦାଙ୍କୁ ହଇରାଣ କରିବା ଘଟଣା ସାମ୍ନାକୁ ଆସିଛି । ଗୁପ୍ତଧନ ରଖିବା ସନ୍ଦେହ କରି ଜଣେ ବୃଦ୍ଧାଙ୍କୁ ନିସ୍ତୁକ ମାଡ ମାରିଛନ୍ତି ଦୁର୍ବୃତ୍ତ ।
ସୂଚନାଅନୁସାରେ ଗତ ଶୁକ୍ରବାର ଡୁମରସିଲ ଗାଁର ଟିକବାଇ ସାନ୍ତା ନାମକ ଜଣେ ବୃଦ୍ଧାଙ୍କୁ ସୁନା ଓ ରୁପା ରଖିଥିବା ନେଇ ସନ୍ଦେହ କରାଯାଇଥିଲା । ପାଟିଆ ସିଲ୍ ଏବଂ ଡୁମରସିଲ ଗ୍ରାମର କିଛି ଲୋକ ଆସି ଟିକାବାଇଙ୍କୁ ଗୋଟିଏ ହାଣ୍ଡିରେ ସୁନା-ରୂପା ଓ କିଛି ପୁରୁଣା ଟଙ୍କା ଭର୍ତ୍ତି କରି ରଖିଥିବା ନେଇ ବୃଦ୍ଧାଙ୍କୁ ପଚାରିଥିଲେ । ମହିଳା ଜଣକ ମନା କରିବାରୁ ଘର ଭିତରେ ଶାବଳ ସାହାଯ୍ୟରେ ୭ ଫୁଟ ଯାଏ ଗାତ ଖୋଳି ଥିଲେ କିନ୍ତୁ ଗୁପ୍ତଧନ ପାଇ ନଥିଲେ । ପରେ ମହିଳାଙ୍କ ଘରଠାରୁ ୩ଶହ ମିଟର ଦୂରରେ ଥିବା ଏକ ନଳକୂପ ନିକଟରେ ଜେସିବି ସାହାଯ୍ୟରେ ୨ଘଣ୍ଟା ଧରି ଗାତ ଖୋଳି ଗୁପ୍ତଧନ ଖୋଜିଥିଲେ ।
ଗୁପ୍ତଧନ ନପାଇବାରୁ ରାଗିଯାଇ ଦୁର୍ବୃତ୍ତମାନେ ଟିକାବାଇଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ବୃଦ୍ଧା । ତେବେ ଦୁର୍ବୃତ୍ତମାନେ ଝରିଗାଁ ବ୍ଲକର ଜଣେ ଗୁଣିଆଙ୍କ କଥାରେ ପଡ଼ି ଏପରି କାଣ୍ଡ କରିଥିବା ଜଣାପଡିଛି । ଡୁମୁରିସିଲ ଗ୍ରାମରେ ଜଣେ ମାଟି ତଳେ ଗୁପ୍ତଧନ ରଖିଥିବାର ସୂଚନା ଦେଇଥିଲା । ସେମାନେ ଗାଁର କେଉଁ ସ୍ଥାନରେ ରହିଛି ବୋଲି ପଚାରିବାରୁ ଟିକାବାଇଙ୍କ ଘରେ ଗୁପ୍ତଧନ ରହିଛି ବୋଲି କହିଥିଲା ଗୁଣିଆ ।
ଘଟଣା ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ରାଇଘର ଥାନାରେ ୧୪୭/୨୦ରେ ୪ ଜଣଙ୍କ ନାମରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିବା କହିଛନ୍ତି ଥାନା ଅଧିକାରୀ ଅଭୟ ବେହେରା ।
ସରକାର ଅନ୍ଧବିଶ୍ବାସକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାର ଜନସଚେତନା କାର୍ଯ୍ୟକ୍ରମ କରୁଛନ୍ତି । ତଥାପି ଲୋକ ସଚେତନ ହେଉନାହାନ୍ତି । ଏପରି ଅନ୍ଧବିଶ୍ବାସକୁ ପ୍ରଶୟ ଦିଆଯିବ ନାହିଁ ବୋଲି କହିଛନ୍ତି ଏସଡିପିଓ ହେମନ୍ତ କୁମାର ପାଢ଼ୀ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ