ନବରଙ୍ଗପୁର: ଭାଦ୍ରବ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ଗଣେଶ ଚତୁର୍ଥୀର ପରଦିନ ପାଳିତ ହୋଇଥାଏ ନୂଆଁଖାଇ । ଏହି ଅବସରରେ ନବରଙ୍ଗପୁର ଜିଲ୍ଲାରେ ନିରାଡମ୍ବର ଭାବେ ପାଳନ ହୋଇଯାଇଛି ନୂଆଁଖାଇ ପର୍ବ l ନୂଆଁଖାଇର ବିଶେଷତ୍ବଟି ହେଲା, ଏହା ତିନିଟି ପର୍ଯ୍ୟାୟରେ ପାଳନ କରାଯାଏ l ପ୍ରଥମେ ଲିପାପଛା, ଦ୍ବିତୀୟରେ ନୂଆଁଖାଇ ଏବଂ ଜୁହାର ଭେଟ l ନୁଆଁଖାଇର ଅବ୍ୟବହିତ ପୂର୍ବରୁ ଲୋକେ ଲିପାପଛା ଅର୍ଥାତ ଘର ସଫେଇ କରନ୍ତି l ସମସ୍ତଙ୍କ ପାଇଁ ନୂଆ ଲୁଗା କପଡା ଇତ୍ୟାଦି କିଣାଯାଏ l ଏହି ସମୟରେ ଘରଛାଡି ବାହାରେ ଥିବା ଲୋକେ ମଧ୍ୟ ନିଜ ନିଜ ଗାଁକୁ ଫେରିଥାନ୍ତି l
ନୂଆଖାଇ ଏକ କୃଷି ଭିତ୍ତିକ ଗଣପର୍ବ l ଓଡିଶାରେ ପଶ୍ଚିମ ଭାଗରେ ଏହାକୁ ବ୍ୟାପକ ଭାବରେ ପାଳନ କରାଯାଇଥାଏ l ବର୍ଷର ପ୍ରଥମ ଅମଳ ଧାନ କୌଣସି ପଶୁ, ପକ୍ଷୀ ଅବା ଅନ୍ୟ ପ୍ରାଣୀଙ୍କ ଉଦରକୁ ଯିବା ପୂର୍ବରୁ ତାହାକୁ ସର୍ବନିୟନ୍ତାଙ୍କ ଠାରେ ଅର୍ପଣ କରାଯାଇଥାଏ l ଧାନ ଖେଡଧରି ପୂର୍ଣ୍ଣଗଭା ହୋଇଥିବା ଅଥଚ ପାକଳ ହୋଇନଥିବ, ସେଭଳି ସମୟରେ ତାହାକୁ ବିଲରୁ ଆଣି ନିଜ ନିଜ ଇଷ୍ଟ ଦେବଦେବୀଙ୍କ ଠାରେ ଭୋଗ ଲାଗି ହୋଇଥାଏ l ପରେ ସପରିବାର ଏକ ସଙ୍ଗରେ ନୂଆ ଚାଉଳ ବା ଚୂଡ଼ାର ପ୍ରସାଦ ଗ୍ରହଣ କରିଥାନ୍ତି l କୁଳ, ଗୌତ୍ର, ବଂଶର ପରମ୍ପରା ଅନୁସାରେ କେହି କେହି ନୂଆ ଚାଉଳର କ୍ଷୀରି ପ୍ରସ୍ତୁତ କରି ଇଶ୍ବରଙ୍କ ଠାରେ ଅର୍ପଣ କରିଥାନ୍ତି l ଆଉ କେହି କେହି କୁଣ୍ଡାଖୁଦ ଅର୍ପଣ କରି ତାହାକୁ ଭୋଗ ରୂପେ ଗ୍ରହଣ କରିଥାନ୍ତି l ସହରାଞ୍ଚଳରେ ରହୁଥିବା ତଥା ଅଣଚାଷୀ ପରିବାରର ଲୋକେ ପୂର୍ବରୁ ନୂଆ ଧାନ କିଣି ନେଇ ସେଥିରେ ନୂଆ ଅନ୍ନ ଭୋଗ ପ୍ରସ୍ତୁତି କରନ୍ତି l ଶୁଭ ଲଗ୍ନରେ ନୁଆଁଖାଇ ହେଲେ ସୁଖ ସମୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି l ତେଣୁ ପ୍ରତ୍ୟେକ ଅଞ୍ଚଳରେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ନାମାନୁସାରେ ତଥା ସେମାନଙ୍କ ରାଶି ଲଗ୍ନ ଅନୁସାରେ ପୂର୍ବରୁ ପଣ୍ଡିତ ମାନଙ୍କ ଦ୍ବାରା ନୁଆଁଖାଇ ଲଗ୍ନ ନିର୍ଧାରଣ ହୋଇଥାଏ l
ନିର୍ଦ୍ଧାରିତ ଲଗ୍ନରେ ନୂଆ ଚାଉଳ ଅନ୍ନ ଓ ଭଳିକି ଭଳି ବ୍ୟଞ୍ଜନ ହୋଇ ତାହା ଇଷ୍ଟ ଦେବାଦେବୀ ତଥା ସକଳ ଦେବାଦେବୀଙ୍କୁ ଅର୍ପଣ କରାଯାଇଥାଏ l ପରେ ପରିବାରର ସଭିଏଁ ଏକତ୍ରିତ ହୋଇ ଏକା ସାଙ୍ଗରେ ମିଳିତ ଭାବରେ ଭୋଜନ କରିଥାନ୍ତି l ପରିବାର ବୟଜ୍ୟୋଷ୍ଟ ବ୍ୟକ୍ତି ସମସ୍ତଙ୍କୁ ନୂଆ ଭୋଗ ଦେଇଥାନ୍ତି l ପ୍ରଥମେ ସେମାନେ ଖାଇସାରିଲା ପରେ ସଭିଏଁ ନୂଆ ଭୋଗ ଗ୍ରହଣ କରିଥାନ୍ତି l ନୂଆ ଖିଆ ସାରିବା ପରେ ଛୋଟ ମାନେ ବଡ଼ ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ କାମନା କରିଥାନ୍ତି l ତେବେ ନୁଆଁଖାଇରେ ଜୁହାରଭେଟ ଏକ ବିରାଟ ପରମ୍ପରା l ଏହା କେବଳ ପରିବାରରେ ଭିତରେ ସୀମିତ ରହେନାହିଁ l ପରିବାରରୁ ଆରମ୍ଭ କରି ଜାତି, କୁଟୁମ୍ବ ଗାଁ ଠାରୁ ସହର ସବୁଠି ଜୁହାର ଭେଟ ହୁଏ।
ନବରଙ୍ଗପୁରରୁ ତପନକୁମାର ବିଷୋୟୀ, ଇଟିଭି ଭାରତ