ନବରଙ୍ଗପୁର: ସ୍ବଚ୍ଛ ଭାରତ ନାଁରେ ମାସକୁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ହେଲେ କାର୍ଯ୍ୟ ଶୂନ୍ୟ । ଜୁଆଡେ ଦେଖିବ କୁଢ କୁଢ ଆବର୍ଜନା । ସବୁଆଡେ ଅସ୍ଵାସ୍ଥ୍ୟକର ପରିବେଶ । ଆସନ୍ତୁ ଦେଖିବା ଉମରକୋଟ ସହରର ପରିମଳ ବ୍ୟବସ୍ଥା । ନବରଙ୍ଗପୁର ଜିଲ୍ଲାର ପ୍ରମୁଖ ସହର ଉମରୋକଟ । ୨୦୧୪ ମସିହାରେ ଏହା NAC ରୁ ମ୍ୟୁନିସିପାଲଟିର ମାନ୍ୟତା ପାଇଛି ଓ ୧୪ ଟି ୱାର୍ଡ କୁନେଇ ଉମରକୋଟ ମ୍ୟୁନିସିପାଲଟି ଗଠନ ହୋଇଛି । ୧୪ ଟି ୱାଡ ମଧ୍ୟରେ ଥିବା ନାଳନର୍ଦ୍ଦମା ନିୟମିତ ଭାବରେ ସଫେଇ ପାଇଁ ମାସିକ ୭ ଲକ୍ଷ ୩୦ ହଜାର ଟଙ୍କା ପରିମଳ ପାଇଁ ଖର୍ଚ୍ଚ ହେଉଥିଲେ ମଧ୍ୟ ସହରରେ ବିପର୍ଯ୍ୟୟ ପରିମଳ ବ୍ୟବସ୍ଥ୍ୟ ଦେଖିବାକୁ ମିଳୁଛି ।
ସହର ଆରମ୍ଭରୁ ରହିଛି ମାଁ ମଙ୍ଗଳାଙ୍କ ମନ୍ଦିର । ସେଠାରୁ ୧୦୦ ମିଟର ଦୂରରେ ରାସ୍ତା ପାର୍ଶ୍ଵରେ କୁଢ କୁଢ ଅଳିଆ ପଡି ଦୁର୍ଗନ୍ଧ ହେଉଛି । ଏପରିକି ପାଖରେ ବୋହିଯାଇଥିବା ଭାସକେଲ ନଦୀର ଜଳ ମଧ୍ୟ ଦୂଷିତ ହେଉଛି । ସର୍ବସାଧାରଣାଙ୍କ ପାଇଁ ତିଆରି ହୋଇଥିବା ଶୌଚାଳୟରେ ପାଣିର ସୁବିଧା ନଥିବାରୁ ଦୁଇବର୍ଷ ହେଲା ଉପଯୋଗ ନହୋଇ ଖତ ଖାଉଛି । ପୁରୁଣା ବସ ଷ୍ଟାଣ୍ଡ ଠାରେ ଟିକିଏ ବର୍ଷା ହେଲେ ନାଳ ପାଣି ବସ ଷ୍ଟାଣ୍ଡ ମଧ୍ୟକୁ ଚାଲିଆସେ ଏହି କାରଣରୁ ବର୍ଷାଦିନର ଯାତ୍ରୀ ମାନେ ନାହଁ ନଥିବା ହଇରାଣ ହୋଇଥାନ୍ତି ।
ସ୍ଥାନୀୟବାସୀଙ୍କ କହିବା କଥା NAC ଥିବା ସମୟରେ ସହରର ପରିମଳ ବ୍ୟବସ୍ଥା ଟିକେ ଭଲ ଥିଲା । କିନ୍ତୁ ମ୍ୟୁନିସିପାଲଟି ହେବା ଦିନଠୁ ପରିମଳ ବ୍ୟବସ୍ଥା ଅଧିକ ବିପର୍ଯ୍ୟୟ ହୋଇପଡିଛି । ଏହା ଦ୍ଵାରା ସହରରେ ମସା ମାଛିର ପ୍ରାଦୃଭାବ ବଢିବାରେ ଲାଗିଛି । ପରିମଳ ବ୍ୟବସ୍ଥାକୁ ସୁଦୃଢ କରାନଗଲେ ଆଗାମୀ ଦିନରେ ଆନ୍ଦଳନ କରାଯିବ ବୋଲି କୋହୁଛନ୍ତି ସହର ବାସୀ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ