ନବରଙ୍ଗପୁର: ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ କିଣାଯାଇଥିବା ୟୁନିଫର୍ମ ଓ ଅନ୍ୟାନ୍ୟ ସାମଗ୍ରୀ ବାବଦକୁ ବାକି ଥିବା ଅର୍ଥ ପ୍ରଦାନ ପାଇଁ ଦୋକାନୀଙ୍କୁ ଲାଞ୍ଚ ମାଗୁଛନ୍ତି ପ୍ରଧାନ ଶିକ୍ଷୟତ୍ରୀ । ଲାଞ୍ଚ ମାଗିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏପରି କିଛି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଞ୍ଚଳରେ । ଡାବୁଗାଁ ବ୍ଲକ ଅନ୍ତର୍ଗତ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଲ କରାଇଦେବା ପାଇଁ 15 ହଜାର ଲାଞ୍ଚ ମାଗିଥିବା ଭିଡିଓରେ ଦେଖିବାକୁ ମିଳିଛି ।
ଡାବୁଗାଁ ବ୍ଲକ ଅନ୍ତର୍ଗତ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୮୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ 2ହଳ ସ୍କୁଲ ୟୁନିଫର୍ମ, ଦୁଇଟି ସକ୍ସ ଓ ହଳେ ସ୍କୁଲ ବୁଟ ଏହିଭଳି ସମୁଦାୟ ୧ ଲକ୍ଷ ୮ ହଜାର ଟଙ୍କାର ପୋଷାକ ଡାବୁଗାଁ ସ୍ଥିତ ‘ଗୋୟେଲ ଫୁଟ ୱେଆର ଆଣ୍ଡ ହୋମ ନୀଡ୍ସ’ ଦୋକାନରୁ ଡୁମୁନିଗୁଡା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ପରାମର୍ଶରେ ସ୍କୁଲ ପରିଚାଳାନା କମିଟି କିଣିଥିଲେ । ସ୍କୁଲକୁ ଡ୍ରେସ ଯୋଗାଇ ଦେଇଥିବା ଦୋକାନ ମାଲିକ ଗୋବିନ୍ଦ ଗୋପାଳ ବକେୟା ଟଙ୍କା ପାଇଁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ଟଙ୍କା ଦେବା ପରିବର୍ତ୍ତେ ତାଙ୍କୁ ନିରାଶ କରି ଚାଲିଥିଲେ । ବାଧ୍ୟ ହୋଇ ସ୍କୁଲ ପରିଚାଳନା କମିଟି ସଦସ୍ଯଙ୍କୁ ଜଣାଇଥିଲେ ସମ୍ପୃକ୍ତ ଦୋକାନୀ । କମିଟି ସଭ୍ୟମାନେ ଏହି ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ କଥା ହେବାରୁ ପ୍ରଧାନ ଶିକ୍ଷୟିତ୍ରୀ ନିଜେ ଏକଥା ବୁଝିବେ ବୋଲି କହି ସେମାନଙ୍କୁ ସାନ୍ତ୍ବନା ଦେଇଥିଲେ ।
ପରେ ପ୍ରଧାନ ଶିକ୍ଷୟତ୍ରୀ ନିଜେ ଉକ୍ତ ଦୋକାନକୁ ଯାଇ ଦୋକାନ ମାଲିକଙ୍କୁ ପିସି ବାବଦକୁ ୧୫ ହଜାର ଟଙ୍କା ଦେଲେ ବକେୟା ଅର୍ଥରାଶି ବାବଦରେ ଚେକ ଦେବେ ବୋଲି କହିଥିଲେ । ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଥିବାବେଳେ ଭିଡିଓଟି ସମ୍ପୂର୍ଣ୍ଣ ସତ୍ୟ ବୋଲି ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଦୋକାନୀ । ଘଟଣାଟି ଲୋକଲୋଚନକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଘଟଣା ବାବଦରେ ତଦନ୍ତ କରାଯିବା ନେଇ ଡାବୁଗାଁ ବ୍ଲକ ପ୍ରଶାନ୍ତ କୁମାର ହୋତା କହିଛନ୍ତି । ଅନ୍ୟ ପକ୍ଷରେ ସମ୍ପୃକ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ