ଭୁବନେଶ୍ବର: ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ଆଜି(ବୁଧବାର) ନବରଙ୍ଗପୁର ଗସ୍ତରେ ଯାଇଛନ୍ତି । ଜିଲ୍ଲାର ଉଠାଜଳସେଚନ ଡିଭିଜନ ଗସ୍ତ କରି ସ୍ଥାନୀୟ ସର୍କିଟ୍ ହାଉସରେ ବୈଠକରେ ଯୋଗ ଦେଇଛନ୍ତି । ନିଗମ ଜରିଆରେ କରାଯାଉଥିବା ବିଭିନ୍ନ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି ।
ଓ.ଏଲ୍.ଆଇ.ସି ଜରିଆରେ କରାଯାଉଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସମ୍ପୃକ୍ତ ଯନ୍ତ୍ରୀ ମାନଙ୍କୁ ସମନ୍ୱୟ ରଖି କାର୍ଯ୍ୟ ସମ୍ପାଦନ କରିବାକୁ ସେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ଉଠା ଜଳସେଚନ ନିଗମ ଜରିଆରେ ଆବଶ୍ୟକ ସୁବିଧାଜନକ ସ୍ଥାନରେ ଜଳସେଚନ ବ୍ୟବସ୍ଥା କରି କୃଷିର ବିକାଶ ଓ କୃଷକ ମାନଙ୍କର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ସ୍ୱପ୍ନ ରହିଛି, ୫-ଟି ଆଧାରରେ ସମ୍ମିଳିତ ପ୍ରଚେଷ୍ଟା ଓ ସ୍ୱଚ୍ଛତା ଅବଲମ୍ବନ କରି ସଂପୃକ୍ତ ଯନ୍ତ୍ରୀମାନେ ଆନ୍ତରିକ ଉଦ୍ୟମ କରି କାର୍ଯ୍ୟ ସଂପାଦନ କରିବାକୁ ଓ.ଏଲ୍.ଆଇ.ସି ଅଧ୍ୟକ୍ଷ ସହଯୋଗ କାମନା କରିଛନ୍ତି । ଏହି ପରିପେକ୍ଷୀରେ ସେ ନବରଙ୍ଗପୁର ଓ.ଏଲ୍.ଆଇ.ସି ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ।
ଏହାପରେ ଓ.ଏଲ୍.ଆଇ.ସି ଅଧ୍ୟକ୍ଷ ନବରଙ୍ଗପୁର ଉଠାଜଳସେଚନ ଡିଭିଜନ ଅନ୍ତର୍ଗତ ନବରଙ୍ଗପୁର ବ୍ଲକର ବାଘସିଉନି ଗ୍ରାମ ପଂଚାୟତର ଜାମୁଜୁଡା ଗ୍ରାମରେ ସ୍ଥାପିତ ‘ଜାମୁଜୁଡା-୨’ ଓ ତଣ୍ଡା ଗ୍ରାମସ୍ଥିତ ‘ତଣ୍ଡା-୭’ ଆଦି ୨ଟି ରିଭର ଲିଫ୍ଟ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ଗ୍ରାମୀଣ ଭିତିଭୂମି ଉନ୍ନୟନ ପାଣ୍ଠି ସହାୟତାରେ ଗତ ଏପ୍ରିଲ୍ ୩୦ ତାରିଖରେ ଏହି ପ୍ରକଳ୍ପ ଦୁଇଟିକୁ ବିଦ୍ୟୁତ୍ ସଂଯୋଗ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି ।
ସେହିଭଳି ଓ.ଏଲ୍.ଆଇ.ସି ଅଧ୍ୟକ୍ଷ ତେନ୍ତୁଳିଖୁଣ୍ଟି ବ୍ଲକ୍ର ଜାନୀଗୁଡା ଗ୍ରାମସ୍ଥିତ ଗଭୀର ସେଚକୂପ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ଏହି ସବୁ ପ୍ରକଳ୍ପଗୁଡିକ ଦ୍ୱାରା କୃଷକମାନେ କିପରି ଉପକୃତ ହେଉଛନ୍ତି, ସେ ସଂପର୍କରେ କୃଷକମାନଙ୍କ ସହିତ ଆଲୋଚନା କରିଛନ୍ତି ।
ସର୍କିଟ୍ ହାଉସରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନବରଙ୍ଗପୁର ଉଠାଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ(ସିଭିଲ) ସତ୍ୟାନନ୍ଦ ଦାସ, ସହକାରୀ ଯନ୍ତ୍ରୀ(ସିଭିଲ୍) ଆର୍.ସି. ସୋରେନ୍, କନିଷ୍ଠ ଯନ୍ତ୍ରୀ ହର ବିଭୂତି ମିଶ୍ର, ମନୋଜ କୁମାର ସ୍ୱାଇଁ, ସହକାରୀ ନିର୍ବାହୀ ଯନ୍ତ୍ରୀ (ବିଦ୍ୟୁତ୍) ପି.କେ ଦାସ, କନିଷ୍ଠ ଯନ୍ତ୍ରୀ ଉତ୍କଳ ଭୂଷଣ ସାମଲ, ଡିଭିଜନାଲ ଆକାଉଣ୍ଟାଣ୍ଟ ଜୟରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ