ନବରଙ୍ଗପୁର: ଆଉ ବର୍ତ୍ତି ପାରିବେନି ଗଞ୍ଜେଇ ମାଫିଆ । ବେଆଇନ ଭାବେ ଠୁଳ କରିଥିବା ସମ୍ପତ୍ତିକୁ ଜବତ କରିବ ପୋଲିସ । ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଐତିହାସିକ ପଦକ୍ଷେପ ନେଲା ନବରଙ୍ଗପୁର ପୋଲିସ । ଗଞ୍ଜେଇ ମାଫିଆଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ସିଜ୍ କଲା ପୋଲିସ ।
ଜିଲ୍ଲାର ତିନି ଗଞ୍ଜେଇ ମାଫିଆଙ୍କ ୪ କୋଟି ୭୭ ଲକ୍ଷ ଟଙ୍କାର ସମ୍ପତ୍ତି ସିଲ୍ କଲା ନବରଙ୍ଗପୁର ପୋଲିସ । କପିଟେଣ୍ଟ ଅଥରୀଟି କଲିକତାଙ୍କ ନିର୍ଦ୍ଦେଶ କ୍ରମେ ସିଜ୍ କଲା ପୋଲିସ । ୩ ଜଣ ଗଞ୍ଜେଇ ମାଫିଆଙ୍କ ସମେତ ୮ ଜଣଙ୍କ ମାଲିକାନାରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଆଜି(ବୁଧବାର) ସିଜ୍ କରି ଘର ଆଗରେ ନୋଟିସ ଲଗାଇଛି ପୋଲିସ । ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ପ୍ରାର୍ଦୁଭାବ ବଢୁଥିବାବେଳେ ଜିଲ୍ଲା ତଥା ପଡୋଶୀ ଜିଲ୍ଲା ଓ ପଡ଼ୋଶୀ ରାଜ୍ୟର ଗଞ୍ଜେଇ ମାଫିଆଙ୍କ ପାଇଁ ଚୋରା ବାଟ ପାଲଟି ଯାଇଛି ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକ ଅଞ୍ଚଳ ।
ଜିଲ୍ଲା ତଥା ପଡ଼ାେଶୀ ଜିଲ୍ଲାରୁ କୋଟି କୋଟି ଟଙ୍କାର ଗଞ୍ଜେଇ କାରବାର ବାହାର ରାଜ୍ୟକୁ ଗଞ୍ଜେଇ କାରବାର ଚାଲିଥିବାବେଳେ ନବରଙ୍ଗପୁର ଦେଇ ମାଫିଆ ମାନେ ବିଭିନ୍ନ ଉପାୟରେ ଗଞ୍ଜେଇ କାରବାର କରୁଥିଲେ । ଅନେକ ସମୟରେ ପୋଲିସ ଏହି ଗାଡି ଗୁଡିକୁ ଜବତ କରି ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସଫଳ ହୋଇଥିଲେ । ନବରଙ୍ଗପୁର ଜିଲ୍ଲାରେ ଗଞ୍ଜେଇ କାରବାରକୁ ନେଇ ଗତ କିଛି ବର୍ଷ ପୂର୍ବେ ଏକ ହତ୍ୟାକାଣ୍ଡ ମଧ୍ୟ ହୋଇଥିଲା । ବର୍ତ୍ତମାନ ଲକଡାଉନ ପରେ ପରେ ଏହି ମାଫିଆଙ୍କ ପ୍ରାର୍ଦୁଭାବ ବଢ଼ିବାରେ ଲାଗୁଥିଲା, ଯାହା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ ମାଫିଆ । ତେଣୁ ସଜାଗ ହୋଇଥିଲା ନବରଙ୍ଗପୁର ପୋଲିସ ଏବଂ ଗଞ୍ଜେଇ ଜବତ ସହ ମାଫିଆଙ୍କ ଗାଡି ଗୁଡିକୁ ଜବତ କରିଥିଲା । ଏହାସହ ମାଫିଆଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେଇଛି ପୋଲିସ ।
୩ ଜଣ ଗଞ୍ଜେଇ ମାଫିଆଙ୍କ ସମ୍ପତିରୁ 8 ଜଣଙ୍କ ମାଲିକାନାରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ୪ କୋଟି ୭୭ ଲକ୍ଷ ଟଙ୍କା ହୋଇଥିବା ପୋଲିସ ସୂଚନା ଦେଇଛି । ରମେଶ ମାଳି, ଅନିରୁଦ୍ଧ ମାଳି, ପ୍ରଭାକର ମାଳି ଏହି ତିନି ଗଞ୍ଜେଇ ମାଫିଆଙ୍କ ନାମରେ ପୂର୍ବରୁ କୋଶାଗୁମୁଡ଼ା ଓ ପାପଡାହାଣ୍ଡି ଥାନାରେ ଦୁଇଟି NDPS କେସ୍ ରହିଥିଲା । ଜବତ ସମ୍ପତ୍ତି ମଧ୍ୟରେ ୪ଟି କୋଠା, ଟ୍ରାକ୍ଟର, ମୋଟର ସାଇକଲ, ବ୍ୟାଙ୍କ ପାସ ବୁକ ରହିଥିବା ସହ ଅନ୍ୟ କିଛି ସମ୍ପତ୍ତି ଜବତ କରାଯାଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ