ନବରଙ୍ଗପୁର: ପୁଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ ହଡପ ଅଭିଯୋଗ ମାମଲାରେ ଛନ୍ଦି ହୋଇଛନ୍ତି ଉମରକୋଟର ଯୁବ ବ୍ୟବସାୟୀ ସଞ୍ଜୀବ ସୁବୁଦ୍ଧି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତୋହରା ପଞ୍ଚାୟତର କିରାପାଣି ଗ୍ରାମରୁ ଆସିଛି ଏପରି ଅଭିଯୋଗ ମାମଲା । ଏବେ ସେହି ଗ୍ରାମର ୮ ଜଣ ବ୍ୟକ୍ତି ସଞ୍ଜୀବ ସୁବୁଦ୍ଧି ନାମରେ ଆବାସ ଅର୍ଥ ହଡପ ଅଭିଯୋଗ ଆଣି ଉମରକୋଟ ଥାନାରେ ଏତଲା ଦେଇଛନ୍ତି ।
ଏହା ପୂର୍ବରୁ ଗତ ୮ ତାରିଖ ଦିନ କୁର୍ସି ପଞ୍ଚାୟତର ନୂଆପାରା ଗ୍ରାମର ୫ ଜଣ ବ୍ୟକ୍ତି ସଂଜୀବଙ୍କ ନାମରେ ଥାନାରେ ଏତଲା ଦେବା ପରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା । ତାଙ୍କ ନାମରେ ଏବେ ଉମରକୋଟ ଥାନାରେ କେବଳ ଆବାସ ଯୋଜନାରେ ଅର୍ଥ ହଡପ ଅଭିଯୋଗରେ ମୋଟ ୧୩ ଗୋଟି ମାମଲା ରୁଜୁ ହୋଇଛି।
ଗତ ୧୬ ତାରିଖ ଦିନ ଉମରକୋଟ ବ୍ଲକ ତୋହରା ପଞ୍ଚାୟତର କିରାପାଣି ଗ୍ରାମର ୮ ଜଣ ଉମରକୋଟ ଥାନାରେ ଦେଇଥିବା ଏତଲା ଅନୁଯାୟୀ, ସେମାନେ ଗତ ୨୦୧୬-୧୭ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିଲେ । ସେମାନେ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ପକ୍କା ଘର କରିବାର ଧାରଣା ନଥିଲା । ସେହି ସମୟରେ ଉମରକୋଟ ସହରର ସଂଜୀବ ସୁବୁଦ୍ଧି ନାମକ ଜଣେ ବ୍ୟକ୍ତିଙ୍କ କଥାରେ ରାଜି ହୋଇ ଘର କରିବା ପାଇଁ କହିଥିଲୁ । ସେ ଆମକୁ ଘର କାମ ଶୀଘ୍ର ସାରିଦେବି ବୋଲି କହିଥିଲେ ।
ହିତାଧିକାରୀଙ୍କ କହିବା ଅନୁଯାୟୀ, ଘର କାମ ଆରମ୍ଭ କରିବା ପାଇଁ ସରକାର ପ୍ରଥମ କିସ୍ତିରେ ୨୦,୦୦୦ ଟଙ୍କା ଦେଇଥିଲେ ଓ ସେହି ଟଙ୍କାରେ କାମ ଆରମ୍ଭ ହୋଇଥିଲା । ଫାଉଣ୍ଡେସନ ପର୍ଯ୍ୟନ୍ତ କାମ ସରିଥିଲା। ତା ପରେ ଦ୍ୱିତୀୟ କିସ୍ତି ଟଙ୍କା ଆସିବାରୁ ଆମମାନଙ୍କୁ ବ୍ୟାଙ୍କକୁ ଡାକି ଟଙ୍କା ଉଠାଣ ଫର୍ମରେ ଟିପ ଚିହ୍ନ ମାରିବାକୁ କହିଥିଲେ ଓ ସବୁତକ ଟଙ୍କା ନେଇଯାଇଥିଲେ ସଂଜୀବ ସୁବୁଦ୍ଧି । ତାପରେ ତାଙ୍କ ଆଉ ଦେଖା ମିଳିନଥିଲା । ତାଙ୍କୁ ଘର କାମ ସାରିବାକୁ କହିବାରୁ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ବିଭିନ୍ନ ପ୍ରକାର ଧମକ ଦେଇଥିଲେ ।
ତେବେ କିଛି ପରିବାର ଧାର କରଜ ଆଣି ଘର କାମ ସାରିଥିବା ବେଳେ ଆଉ କିଛି ପରିବାରଙ୍କ ଘର ଅଧପାନ୍ତାରିଆ ଅବସ୍ଥାରେ ହୋଇ ରହିଛି । ଏପଟେ ଅଭିଯୋଗ ଆଧାରରେ ସଂଜୀବ ସୁବୁଦ୍ଧିଙ୍କ ନାମରେ ଏତଲା ଦାଏର କରଛି ଉମରକୋଟ ପୋଲିସ । ଏହି ମାମଲା ନେଇ ଉମରକୋଟ ଏସଡିପିଓ ନିଜେ ତଦନ୍ତ ଜାରି ରଖିଛନ୍ତି।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ