ନବରଙ୍ଗପୁର: ସୀମାନ୍ତ ଇଲାକାରେ ହିନ୍ଦୀ ଓ ଲୋକାଲ ଭାଷାରେ ନିର୍ବାଚନ ପ୍ରଚାର କରୁଛନ୍ତି ବିଜେଡ଼ି ନେତା ପ୍ରଦୀପ ମାଝୀ । ବିଜେଡ଼ିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀଙ୍କ ତିନି ଦିନିଆ ରାଇଘର ଗସ୍ତରେ ଆସି ଜୋନ ୧ ରେ ଥିବା ବିଭିନ୍ନ ପଞ୍ଚାୟତ ବୁଲି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି l ଅପରପକ୍ଷରେ ଏହି ଜୋନର ସମସ୍ତ ପଞ୍ଚାୟତ ଛତିଶଗଡ ସୀମାନ୍ତରେ ରହିଥିବାରୁ ସାଧାରଣତଃ ଏଠାରେ ହିନ୍ଦୀ ଭାଷା ପ୍ରଚଳିତ । ଫଳରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉପସ୍ଥିତ ନେତା ଓ ପ୍ରାର୍ଥୀମାନେ ହିନ୍ଦୀ ଭାଷାରେ ଲୋକଙ୍କୁ ଭୋଟ ମାଗୁଥିବା ଦେଖାଯାଇଛି l
ଏହାମଧ୍ୟ ପଢନ୍ତୁ: ଦଳୀୟ ଟିକେଟ ନମିଳିବାରୁ ସ୍ବାଧୀନ ପ୍ରାର୍ଥୀ ହେଲେ ବିଜେଡି ଉପସଭାପତି !
ସୂଚନା ଅନୁଯାୟୀ ରାଇଘର ବ୍ଲକର ୧ ନମ୍ବର ଜୋନ୍ରେ ଖୁଡ଼ୁକୁ, ହାଟଭରଣ୍ଡି, କୁନ୍ଦେଇ, କାଉଡଲା, କସକଙ୍ଗା, ପରିଚିପାରା ପଞ୍ଚାୟତ ରହିଥିବାବେଳେ ଏ ସମସ୍ତ ପଞ୍ଚାୟତ ଛତିଶଗଡକୁ ଲାଗି ରହିଛି l ପ୍ରଦୀପ ମାଝୀ ଏହି ୧ ନମ୍ବର ଜୋନ୍ରେ ବିଜେଡ଼ି ଦଳ ପକ୍ଷରୁ ଜିଲ୍ଲାପରିଷଦ ସଭ୍ୟ ପଦବୀ ପାଇଁ ଯତୀନ୍ଦ୍ର ଗଣ୍ଡଙ୍କ ପାଇଁ ପ୍ରଚାର କରିବାକୁ ପହଞ୍ଚିଥିଲେ । ଏଥିସହ ବିଭିନ୍ନ ଗ୍ରାମକୁ ଯାଇ ସଭା ସମିତିରେ ଯୋଗ ଦେଇଥିଲେ । ଏହି ଜୋନ ପାଇଁ ପ୍ରଥମେ ଖୁଡ଼ୁକୁ ପଞ୍ଚାୟତର କନ୍ଦାଚୁଆଁ ଠାରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ ।
ଏହାପରେ ପ୍ରଦୀପ ମାଝୀ ହାଟଭରଣ୍ଡି, କାଉଡଲା, କସକଙ୍ଗା, ପରିଚିପାରା ଠାରେ ଆୟୋଜିତ ହୋଇଥିବା ସଭା ଗୁଡିକରେ ଯୋଗ ଦେଇ ସେଠାକାର ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଓ ସମିତିସଭ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବା ସହିତ ୧ ନମ୍ବର ଜୋନ ପାଇଁ ଯତୀନ୍ଦ୍ର ଗଣ୍ଡଙ୍କୁ ଭୋଟ ଦେବାକୁ ସ୍ବତନ୍ତ୍ର ପ୍ରଚାର କରିଥିଲେ l
ଅପରପକ୍ଷରେ ଏହ ଅଞ୍ଚଳର ଲୋକେ ହିନ୍ଦୀ ଓ ଛତିଶଗଡି ଭାଷାରେ କଥାବାର୍ତ୍ତା କରୁଥିବାରୁ ଓଡ଼ିଆର ପ୍ରଭାବ ଏଠାରେ କମ ଦେଖିବାକୁ ମିଳିଥାଏ l ସେଥିପାଇଁ ପଞ୍ଚାୟତ ଗୁଡିକରେ ପ୍ରତିଦ୍ବନ୍ଦ୍ବୀତା କରୁଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ହିନ୍ଦୀ ଭାଷାରେ ପୋଷ୍ଟର ଓ ବ୍ୟାନର ସହିତ ପ୍ରଚାର କରିଛନ୍ତି । ଏପରିକି କାନ୍ଥ ବାଡ଼ରେ ମଧ୍ୟ ହିନ୍ଦୀ ଭାଷାରେ ଲେଖା ଯାଇଥିବା ଦେଖିବାକୁ ମିଳିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ