ନବରଙ୍ଗପୁର: ଛାତର ଟିଣ ଉଡି ମୁକୁଳା ହୋଇଗଲାଣି, କାନ୍ଥ ଫାଟି ଆଁ କଲାଣି ଆଉ ଲଟାବୁଦାରେ ପରିପୂର୍ଣ୍ଣ ହୋଇଗଲାଣି ଚତୁଃପାର୍ଶ୍ବ । ଆକର୍ଷିତ କରିବା ପାଇଁ କରାଯାଇଥିବା ସୌନ୍ଦର୍ଯ୍ୟକରଣ ମଉଳି ପଡ଼ିଲାଣି । ରକ୍ଷଣା ବେକ୍ଷଣ ଅଭାବରୁ ହତଶ୍ରୀ ପାଲଟିଯାଇ ଭାଙ୍ଗିରୁଜି ଏକପ୍ରକାର ନଷ୍ଟ ହେବାକୁ ବସିଲାଣି ବ୍ରିଟିଶ ଅମଳର ଏହି ପୁରୁଣା ସ୍ମୃତି ରାଜସ୍ବ ବଙ୍ଗଳା । ନବରଙ୍ଗପୁର ଜିଲ୍ଲାର ତେନ୍ତୁଳୀଖୁଣ୍ଟି ବ୍ଲକ ସଦର ତହସିଲ କାର୍ଯ୍ୟାଳୟ ପରିସରରେ ରହିଛି ଏମିତି ଏକ ସର୍ବ ପୂରାତନ ରାଜସ୍ବ ଡାକ ବଙ୍ଗଳା ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରାୟ ୧୦୦ ବର୍ଷ ତଳେ ତିଆରି ହୋଇଥିଲା ଏହି ବଙ୍ଗଳାଟି । ଅତିଥି ଆସିଲେ ଅତିଥି ସତ୍କାର ପାଇଁ ଏହି ବଙ୍ଗଳାଟିକୁ ବ୍ୟବହାର କରାଯାଉଥିଲା କିନ୍ତୁ, ଆଜି ତାହା ଜରାଜୀର୍ଣ୍ଣ ଓ ଅବହେଳିତ । ଏକମାତ୍ର ପୁରୁଣା ଐତିହ୍ୟକୁ ବଞ୍ଚାଇ ରଖିବାରେ ସମ୍ପୂର୍ଣ୍ଣ ଅସମର୍ଥ ସ୍ଥାନୀୟ ପ୍ରଶାସନ । ନୂଆ ଗ୍ରିଲ ବସାଇ ବାହାରୁ ଚିକଣ ଦେଖାଯାଉଥିଲେ ମଧ୍ୟ ଭିତର ପାର୍ଶ୍ୱର ଅବସ୍ଥା ସାଙ୍ଘାତିକ । ଉପର ଟିଣ ଉଡି ମୁକୁଳା ହୋଇଯାଇଥିବା ଛାତ ଦେଇ ବର୍ଷାରେ ପାଣି ପଶି କବାଟ ଝରକାରେ ଉଇ ଲାଗି ଗଲାଣି l ଗ୍ରିଲରେ ତାଲା ପକାଇ ବଙ୍ଗଳା ବାରଣ୍ଡାରେ ବାଇକ, ଭଙ୍ଗା ଚେୟାର ଓ ଅନ୍ୟାନ୍ୟ ଅଦରକାରୀ ଜିନିଷ ରଖାଯାଇଛି କିନ୍ତୁ, ବଙ୍ଗଳାର ଭିତର ପାଖ କାହାର ଦୃଷ୍ଟି ଗୋଚର ହୋଇପାରୁ ନାହିଁ l
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ‘ବଙ୍ଗଳା ଭିତରକୁ ଯିବା ପାଇଁ ଆମେ ତହସିଲଦାର ମହୋଦୟଙ୍କୁ ଅନୁରୋଧ କରିଥିଲୁ କିନ୍ତୁ, ତହସିଲଦାର ମହାଶୟ ଆମକୁ ଭିତରକୁ ଯିବାକୁ ଅନୁମତି ଦେଲେନାହିଁ । ଏନେଇ ବହୁବାର ଉପରିସ୍ଥ ଅଧିକାରୀଙ୍କୁ ପତ୍ର ଲେଖିଥିବା କଥା କହିଛନ୍ତି ତହସିଲଦାର କିନ୍ତୁ, ବାରମ୍ବାର ଅଭିଯୋଗ ପରେ ମଧ୍ୟ ଫଳ ଶୂନ୍ୟ l’ ସରକାର କୋଟି କୋଟି ଟଙ୍କା ବିଭିନ୍ନ ବିଭାଗ ପାଇଁ ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ବ୍ରିଟିଶ ଅମଳର ବଙ୍ଗଳାଟି l ସ୍ଥାନୀୟ ଲୋକଙ୍କ ଏକମାତ୍ର ଦାବି ଯେ, ପୁରୁଣା ଐତିହ୍ୟକୁ ସଜାଡି ଯଥାଶୀଘ୍ର ତାହାର ପୁନଃରୁଦ୍ଧାର କରିବା ପାଇଁ l
ବାହାରୁ କୌଣସି ଅତିଥି ଆସିଲେ କିମ୍ବା ସରକାରୀ ବଡ ବାବୁ ମାନେ ଆସିଲେ ନିକଟବର୍ତ୍ତୀ ଇନ୍ଦ୍ରାବତୀ ଓ ନବରଙ୍ଗପୁର ସହର ଉପରେ ନିର୍ଭର କରିବାକୁ ପଡୁଥିବା ବେଳେ ଯଦି ପ୍ରଶାସନ ଦ୍ୱାରା ଏହି ପୂରାତନ ବଙ୍ଗଳାକୁ ନୂଆ ରୂପ ଦିଆଯାଇ ପାରନ୍ତା ତାହେଲେ ନଷ୍ଟ ହେବାକୁ ବସିଥିବା ପୂରୁଣା ଐତିହ୍ୟଟି କୌଣସି କାମରେ ଲାଗିପାରନ୍ତା l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ