ନବରଙ୍ଗପୁର: ଜିଲ୍ଲାର ଝରିଗାଁ ବ୍ଲକ ଅନ୍ତର୍ଗତ ବୋରାବେଡା ଗ୍ରାମରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ଭାଇରାଲ ହେଉଥିବା ଖବର ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ । ତେବେ ଏହି ଭିଡିଓ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ସୂଚନା ଦେଇଛନ୍ତି ।
ବୋରାବେଡା ଗ୍ରାମର ମୃତକ ଭକ୍ତଚରଣ ମାଝୀଙ୍କ ମୃତ୍ୟୁକୁ ନେଇ ଏହି ଭିଡ଼ିଓ ଭାଇରାଲ ହୋଇଛି । ଭିଡିଓକୁ ନେଇ କୋଭିଡ ହସ୍ପିଟାଲର ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିବା ପରେ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ମାଝୀଙ୍କ ରାତି 9ଟା ସମୟରେ ମୃତ୍ୟୁ ଘଟିଥିଲା । ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ତାଙ୍କର ରାତି 10ଟା ସମୟରେ ମୃତଦେହକୁ କଭର ଭିତରେ ନିଆଯାଇ ପ୍ରାୟ ରାତି 12.30ଟା ସମୟରେ ଅନ୍ତିମ ସଂସ୍କାର କରାଯାଇଥିଲା । ଏହି ଘଟଣା ସମୟରେ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ରାତି 11ଟା ସମୟରେ ସେଠାରେ ଉପସ୍ଥିତ ଥିଲେ ।
କିନ୍ତୁ ଭିଡିଓ ହେଉଥିବା ଭାଇରାଲରେ ମାଝୀଙ୍କ ସକାଳ 11ଟା ସମୟରେ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି । ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜିଲ୍ଲାପାଳ କହିଛନ୍ତି । ମାଝୀ ମଧ୍ୟାହ୍ନ 2ଟା 30ମିନିଟରେ ନିଜ ମୋବାଇଲରୁ ଜଣେ ଷ୍ଟାଫ ନର୍ସିଙ୍କୁ ମେସେଜ ପଠାଇଥିଲେ । ତେବେ ତାଙ୍କର 11ଟା ବେଳେ କିପରି ମୃତ୍ୟୁ ହେଲା ବୋଲି ଜିଲ୍ଲାପାଳ ପ୍ରଶ୍ନ କରିଛନ୍ତି । ଏହାସହିତ ଭାଇରାଲ ହେଉଥିବା ଭିଡିଓରେ ରାତି ସମୟ ବୋଲି ମଧ୍ୟ ଦେଖାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି ।
ତେବେ ସୂଚନା ଥାଉ କି ମାଝୀଙ୍କ ମୃତ୍ୟୁର 10 ଘଣ୍ଟା ପରେ ମଧ୍ୟ ତାଙ୍କ ମୃତଦେହର ଅନ୍ତିମ ସଂସ୍କାର କରାଯାଉନଥିବା ଅଭିଯୋଗ ହୋଇଥିଲା । ମୃତଦେହ ପଡିବା ପରେ ମଧ୍ୟ ସ୍ବାସ୍ଥ୍ୟକର୍ମୀ ସ୍ବାଭାବିକ ଭାବେ କାର୍ଯ୍ୟ କରୁଥିବା ଭିଡିଓରେ ଦର୍ଶାଯାଇଥିଲା । ଉକ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ମହିଳା ଆକ୍ରାନ୍ତ ଭିଡିଓ ରେକର୍ଡ କରି ସାମାଜିକ ଗଣମାଧ୍ୟମରେ ସେୟାର କରିଥିଲେ । ଯାହାକୁ ନେଇ ସାରା ରାଜ୍ୟରେ କୋଭିଡ ହସ୍ପିଟାଲର ଅବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାପରେ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ପ୍ରକୃତ ସତ୍ୟତା ଉପରୁ ପରଦା ଉଠାଇବା ସହିତ ଭାଇରାଲି ଭିଡିଓ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ