ନବରଙ୍ଗପୁର: ଉପାନ୍ତ ଅଞ୍ଚଳର ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା । ନିଜ ବିଲରେ ମୂଲ ଲାଗି ହଳ କରିବା, ଧାନ ଗଛ ଲଗାଇବା ଓ ମୂଲିଆଙ୍କ ସହିତ ଚାଷ କାମ କରି ଭାରତର ଉପ ରାଷ୍ଟ୍ରପତିଙ୍କ ଠାରୁ ପ୍ରଶଂସା ସାଉଁଟିଛନ୍ତି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ନବରଙ୍ଗପୁର ଜିଲ୍ଲାର ଦୁଇଟି ଭିନ୍ନ ଭିନ୍ନ ନିର୍ବାଚନ ମଣ୍ଡଳୀରୁ ତିନି ଥରର ବିଧାୟକ ମନୋହର ରନ୍ଧାରୀ ନିଜ ଜମିରେ ଚାଷ କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ।
ମନୋହରଙ୍କ ଏହି ଚଷା ପୁଅ ଅବତାର ସମସ୍ତଙ୍କ ମନ ମୋହିଥିଲା ଏବଂ ଖବରର ଶିରୋନାମା ପଲଟିଥିଲା । ଏହା ସହ ମନୋହରଙ୍କ ଏହି ଚଷା ଅବତାର ଭାରତର ଉପରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଥିଲା । ତିନି ଥରର ବିଧାୟକ ମନରୁ ଅଭିମାନ ତ୍ୟାଗ କରି ଚିରାଚରିତ ଢଙ୍ଗରେ ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଖାତର ନକରି ସାଧାରଣ ମୂଲିଆ ବେଶରେ କାଦୁଅ ଜମିରେ ନିଜେ ହଳ ଲଙ୍ଗଳ ଧରି ଚାଷ କରିବାର ଭିଡିଓ ଭାରତୀୟ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ମନକୁ ବେଶ ଆକର୍ଷିତ କରିପାରିଥିଲା ।
ବିଧାୟକଙ୍କ ଏହି ପଦକୁ ଅନୁସରଣ କରିବା ପାଇଁ ଉପରାଷ୍ଟ୍ରପତି ଯୁବ ସମାଜକୁ ଆହ୍ୱାନ ଦେଇଛନ୍ତି । ବିଧାୟକଙ୍କ ପ୍ରଶଂସନୀୟ ପ୍ରେରଣାଦାୟୀ କାମକୁ ନେଇ ଉପରାଷ୍ଟ୍ରପତି ନିଜ ଟୁଇଟରରେ ପ୍ରସଂଶା କରିଛନ୍ତି । ବିଧାୟକ ରନ୍ଧାରୀ ନିଜ ପିତାଙ୍କ ଦେହାନ୍ତ ପରେ ବ୍ୟକ୍ତିଗତ ଭାବେ ଚାଷ କାମ ବୁଝିବା ସହିତ ନିଜେ ମଧ୍ୟ କ୍ଷେତରେ କାମ କରିବାକୁ ଭଲ ପାଉଥିବା କହିଛନ୍ତି । ଏହାସହ ରାଜ୍ୟ ସରକାର କୃଷି କ୍ଷେତ୍ରକୁ ନେଇ କୃଷି ଶିଳ୍ପ ପ୍ରତିଷ୍ଠା କରିବାକୁ ଯୋଜନା କରୁଥିବା ବେଳେ ଯୁବ ସମାଜ ଯଦି ଆଗେଇ ଆସନ୍ତି ତେବେ ସରକାରଙ୍କ ଯୋଜନା ସଫଳ ହୋଇପାରିବ ଓ କୃଷି କ୍ଷେତ୍ରରେ ବିନିଯୋଗ କରି ଯୁବ ସମାଜ ସ୍ବରୋଜଗାର ହୋଇପାରିବେ ବୋଲି ସେ କହିଥିଲେ ।