ନବରଙ୍ଗପୁର: ଚିକିତ୍ସାଳୟ ହେବ ଦଲାଲ୍ ମୁକ୍ତ । ସରକାରଙ୍କ ଏହି ଆହ୍ବାନକୁ ସଫଳ ରୂପାୟନ ପାଇଁ ଜିଲ୍ଲାସ୍ତରରେ ନବରଙ୍ଗପୁର ଏସପି ଲାଗି ପଡିଛନ୍ତି l
ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦଲାଲ ମୁକ୍ତ କରିବା ପାଇଁ ଏସପିଙ୍କ ତତ୍ତ୍ଵାବଧାନରେ ନବରଙ୍ଗପୁର ପୋଲିସ ଚଢ଼ାଉ କରି 5 ଟି ଦଲାଲକୁ ଗିରଫ କରିଥିଲାବେଳେ ଏସପି ଓ ଜିଲ୍ଲାପାଳ ଚିକିତ୍ସାଳୟକୁ ଯାଇ ତଦାରଖ କରିଥିଲେ l
ତେବେ ଗତ ରବିବାର ରାତି ପ୍ରାୟ ୧୨ଟା ସମୟରେ ନବରଙ୍ଗପୁର ଏସପି ନୀତିନ କୁସଲକର ନିଜ ପୋଲିସ ବାହିନୀ ସହ ଅଚାନକ ଡାକ୍ତରଖାନା ପରିଦର୍ଶନ କରିଥିଲେ । ଏହି ସମୟରେ ସମସ୍ତ ବିଭାଗ ଯଥା ରୋଗୀ ରେଜିଷ୍ଟ୍ରେସନ୍, ନିରାମୟ ଔଷଧ ବିତରଣ କେନ୍ଦ୍ର, ରକ୍ତ ଭଣ୍ଡାର, ଡାକ୍ତରଙ୍କ କେବିନ୍, ମହିଳା ଓ ପୁରୁଷଙ୍କ ୱାର୍ଡ ବୁଲି ତଦାରଖ କରିଥିଲେ।
ତଦାରଖ କରିବା ସମୟରେ ଅନେକ ରୋଗୀଙ୍କ ପାଖକୁ ଯାଇ ଚିକିତ୍ସାଳୟର କର୍ମଚାରୀ ତାଙ୍କ ପ୍ରତି କିପରି ବ୍ୟବହାର କରୁଛନ୍ତି, ମାଗଣା ଔଷଧ ପ୍ରଦାନ କରାଯାଉଛି କି ନାହିଁ ଓ ଡାକ୍ତରଖାନାରେ ଦଲାଲଙ୍କ ଉପସ୍ଥିତି ରହୁଛନ୍ତି କି ଇତ୍ୟାଦି ଅନେକ ପ୍ରଶ୍ନ ପଚାରିଥିଲେ ।
ରୋଗୀମାନେ ସବୁ ଠିକ୍ ଭାବରେ ଚାଲିଛି ବୋଲି କହିଥିଲେ । ଯାହାକୁ ନେଇ ପରବର୍ତ୍ତୀ ସମୟରେ ଏସପି ଗଣମାଧ୍ୟମକୁ ଚିକିତ୍ସାଳୟର ସ୍ଥିତି ଓ ମୋ ସରକାର ଯୋଜନାର ସଫଳ କାର୍ଯ୍ୟକାରିତାକୁ ସୂଚନା ଦେଇ ଖୁସି ବ୍ୟକ୍ତ କରିଛନ୍ତି ।
ତେବେ ଅଚାନକ ପରିଦର୍ଶନ ସମୟରେ ଡାକ୍ତରଖାନାର ରାତି ଡ୍ୟୁଟିରେ ଥିବା ସମସ୍ତ କର୍ମଚାରୀ ଉପସ୍ଥିତ ଥିବା ଦେଖି ଏସପି ନିଜର ଖୁସି ବ୍ୟକ୍ତ କରିଥିଲେ । ଏସପିଙ୍କ ଏପରି ଅଚାନକ ପରିଦର୍ଶନକୁ ଡାକ୍ତରଖାନାର କର୍ମଚାରୀ ଓ ରୋଗୀମାନେ ପ୍ରଶଂସା କରିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ