ନବରଙ୍ଗପୁର: ଜିଲ୍ଲା ପୋଲିସକୁ ବଡ଼ ସଫଳତା । ମେନପୁର ନୂଆପଡ଼ା ଡିଭିଜନର ଦୁଇ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଲା ନବରଙ୍ଗପୁର ପୋଲିସ । ଜଙ୍ଗଲ ମଧ୍ୟରୁ ମାଓବାଦୀଙ୍କୁ ଗିରଫ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିଆଇଜି ରାଜେଶ ପଣ୍ଡିତ । ଗିରଫ ହୋଇଥିବା ୨ ମାଓବାଦୀ ଅନେକ ବର୍ଷ ଧରି ଏପରି ଅପରାଧିକ କାର୍ଯ୍ୟରେ ଲିପ୍ତ ରହିଥିବା ବେଳେ ପୋଲିସ ଉପରକୁ ଗୁଳିମାଡ଼, ପୋଷ୍ଟରିଂ ଓ ବ୍ୟାନର ଲଗାଇବା କାର୍ଯ୍ୟରେ ସାମିଲ ଥିଲେ ।
ରାଇଘର ଥାନା ଅନ୍ତର୍ଗତ ହାତୀ ଗାଁ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଗିରଫ ହୋଇଛନ୍ତି ଏହି ଦୁଇ ମାଓବାଦୀ । ସିଆରପିଏଫ ଏସଓଜି ଓ ଡିଭିଏଫର ମିଳିତ କୁମ୍ବିଂ ସମୟରେ ଆଜି ସକାଳେ ଏମାନେ ଗିରଫ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ହାର୍ଡକୋର ମାଓବାଦୀ ହୋଇଥିବା ବେଳେ ଅନ୍ୟଜଣେ ମିଲିସିଆ ଯିଏ କ୍ବାକ୍ ଭାବେ କାର୍ଯ୍ୟରତ ଥିଲେ । ହାର୍ଡକୋର ମାଓବାଦୀ ହେଲେ ପୂଜା ମାଣ୍ଡଭି (୨୫) ଓ ମିଲିସିଆ ହେଉଛନ୍ତି ସୁମୁଦ୍ର ବାଘ । ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାରେ ପୂଜା ମାଣ୍ଡଭିଙ୍କ ଘର ହୋଇଥିବା ବେଳେ ଓଡ଼ିଶାର ନୂଆପଡା ଜିଲ୍ଲାରେ ସୁମୁଦ୍ର ବାଘଙ୍କ ଘର ।
ଏହା ବି ପଢନ୍ତୁ- ନକଲି ସୁନା ଶଙ୍ଖ ଦେଇ ଠକୁଥିଲେ, 2 ଠକଙ୍କୁ ବାନ୍ଧିଲା ପୋଲିସ
ପୂଜା ମାଣ୍ଡଭି ୨୦୧୦ ମସିହାରୁ ମାଓବାଦୀ ସଙ୍ଗଠନରେ କାର୍ଯ୍ୟରତ ଥିବା ବେଳେ ସୁମୁଦ୍ର ବାଘ ୨୦୧୭ରୁ ସକ୍ରିୟ ରହିଛନ୍ତି । ନୂଆପଡା ଅଞ୍ଚଳରେ ହୋଇଥିବା ବିଭିନ୍ନ ଫାୟାରିଂ ମାମଲାରେ ଜଡ଼ିତ ଥିବା ସହ ନବରଙ୍ଗପୁର ଜିଲ୍ଲାରେ ପୋଷ୍ଟର ଲଗାଇବା କାମରେ ଜଡିତ ଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ଡିଆଇଜି । ଏଥିସହ ମିଲିସିଆ ସମୁଦ୍ର ବାଘ ମଧ୍ୟ ପୋଷ୍ଟରିଂ ଓ କ୍ବାକ୍ ଭାବେ କାର୍ଯ୍ୟରତ ଥିଲେ । ପୂଜା ମାଣ୍ଡଭିଙ୍କ ଦେହ ଅସୁସ୍ଥ ଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଯାଉଥିବା ବେଳେ କମ୍ବିଂ ଅପରେସନରେ ଧରା ପଡିଥିବା ନେଇ ଡିଆଇଜି ପ୍ରେସମିଟରେ ସୂଚନା ଦେଇଛନ୍ତି ।
ତେବେ ପୂଜା ମାଣ୍ଡଭି କେଉଁ କେଉଁ ଘଟଣାରେ ଜଡ଼ିତ ଅଛନ୍ତି ସେ ନେଇ ଅଧିକ ତଦନ୍ତ ପରେ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ସୂଚନା ଦେଇଛନ୍ତି ଡିଆଇଜି । ଏ ନେଇ ସେ କହିଛନ୍ତି, "ଆଜି ୨ଜଣ ମାଓବାଦୀ ନବରଙ୍ଗପୁରରୁ ଗିରଫ ହୋଇଛନ୍ତି । ହାତୀ ଗାଁ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଛି । ପୂଜା ୧୩ ବର୍ଷ ବୟସରୁ ମାଓ କାର୍ଯ୍ୟରେ ଲିପ୍ତ ରହିଛି । ଅନେକ ଅପରାଧିକ କାର୍ଯ୍ୟରେ ସେ ଜଡ଼ିତ ଥିଲେ । ନୂଆପଡ଼ାରେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ଼ରେ ପୂଜା ରହିଥିବା ବେଳେ ପୋଷ୍ଟରିଂ ଓ ବ୍ୟାନର ଲଗାଉଥିଲେ । ଏ ନେଇ ତଦନ୍ତ ଜାରି ରହିଛି ।"
ଇଟିଭି ଭାରତ, ନବରଙ୍ଗପୁର