ନବରଙ୍ଗପୁର: ଶ୍ରାବଣ ମାସରେ ବର୍ଷାର ଅଭାବ ଚାଷୀଙ୍କୁ ଚିନ୍ତାରେ ପକାଇଥିଲା । ଦୀର୍ଘ କୋଡ଼ିଏ ଦିନ ଲୁଚକାଳି ଖେଳିବା ପରେ ନବରଙ୍ଗପୁର ଜିଲ୍ଲାରେ ବିଗତ ୩ ଦିନ ହେଲା ଝିପଝିପ ବର୍ଷା ହୋଇଛି । ଚାଷ ପାଇଁ ଏହି ବର୍ଷା ଉପଯୁକ୍ତ ନହେଲେ ମଧ୍ୟ ଚାଷୀ ମନରେ ଆଶା ସଞ୍ଚାର ହୋଇଛି । ବନ୍ଦ ରହିଥିବା ଧାନ ରୁଆ କାମ ପୁଣି ଆରମ୍ଭ ହୋଇଛି । ଏହି ସମୟରେ ରୁଆ କାର୍ଯ୍ଯ ପ୍ରାୟ ସରି ଯାଇ ଥାଏ କିନ୍ତୁ ଚଳିତ ବର୍ଷ ଶତକଡ଼ା ୩୦ରୁ ୩୫ ଭାଗ ଜମିରେ ଧାନ ରୁଆ କାର୍ଯ୍ୟ ସରିଛି ବଳକା ଜମିରେ ଏବେ ବି ରୁଆ କର୍ଯ୍ୟ ଜାରି ରହିଛି । ଆଗକୁ ବର୍ଷା ହେଲେ ଚାଷ କାମ ଆଗେଇବ ଧାନ ଅମଳ ଭଲ ହେବ ବୋଲି ଆଶା ରଖିଛି ଚାଷୀ ।
କୃଷକ ନେତା ବୃନ୍ଦାବନ ତ୍ରିପାଠୀ କହିଛନ୍ତି, "ଏବର୍ଷ ନିଆଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟରେ ବହୁ ସମସ୍ୟା ଦେଖା ଦେଇଛି । ଭାରି ବର୍ଷା ସମୟରେ ଝିପ୍ଝିପ୍ ବର୍ଷା ଚାଷ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ନୁହେଁ । ବର୍ଷା ଅଭାବରୁ ଚାଷୀ ତଳି ପକାଇ ରୁଆ କାର୍ଯ୍ୟ କରିପାରି ନାହିଁ । ବର୍ଷା ହେବାପରେ ଚାଷୀ ହଳ କରି ଜମି କାଦୁଅ କରିବା ସହ ନୂଆ କାର୍ଯ୍ୟ ଆରମ୍ଭ କରିଛନ୍ତି । ହେଲେ ବର୍ଷା ବନ୍ଦ ହୋଇଗଲେ ଚାଷୀଙ୍କ ସବୁ ପରିଶ୍ରମ ବୃଥା ହୋଇଯିବ । ନବରଙ୍ଗପୁରରେ ଜଳ ଯୋଗାଣ ସୁବିଧା ନଥିବା କାରଣରୁ ଚାଷୀ ହଇରାଣ ହେଉଛନ୍ତି । ତେଣୁ ସରକାର ଏଥିପ୍ରତି ଧ୍ୟାନ ଦେଇ ଜଳ ଯୋଗାଣ ପାଇଁ ସୁବିଧା କଲେ ସାମାନ୍ୟ ବର୍ଷାରେ ବି ଚାଷୀ ଭଲ ଫସଲ ଅମଳ କରିପାରିବ ।"
ଜିଲ୍ଲା କୃଷି ଅଧିକାରୀ ବିଭୁଭୂଷଣ ମହାକୁଳ କହିଛନ୍ତି, "ଚଳିତ ବର୍ଷର ବର୍ଷା କେବଳ ଚାଷ ବଞ୍ଚାଇବା ଭଳି ହୋଇଛି। ଆଶାଜନକ ବର୍ଷା ହୋଇନାହିଁ । ୧୬ ତାରିଖ ସୁଦ୍ଧା ଜିଲ୍ଲାରେ ୭୮ ମିମି ବର୍ଷା ହୋଇଛି । ୨୦ ତାରିଖରେ ୧.୯ ମିମି ବର୍ଷା ହେଇଛି ଯାହା କି ଜମିକୁ ଓଦା କରିବାରେ ସାହାଯ୍ୟ ହେଇଛି । ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ ଖରିଫରେ ୧ ଲକ୍ଷ ୫ ହଜାର ହେକ୍ଟର ଜମିରେ ଧାନ ଚାଷର ଲକ୍ଷ୍ୟ ରଖାଯାଇଛି । ସରକାରୀ ବିହନ ସହ ରାସାୟନିକ ସାର ମହଜୁଦ ରହିଛି ବର୍ଷା ପାଇଁ ଚାଷ କାର୍ଯ୍ୟ ଅଟକି ଯାଇଥିଲା । କିନ୍ତୁ ବିଗତ ତିନି ଦିନର ବର୍ଷା ଯୋଗଁ ପୁଣି ଧାନ ରୁଆ କାର୍ଯ୍ଯ ଆରମ୍ଭ ହୋଇଛି ।"
ଇଟିଭି ଭାରତ, ନବରଙ୍ଗପୁର